fbpx

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କୁ ବଡ଼ ପୁରସ୍କାର: ଦଳରେ ମିଶିବାର ୨୪ ଘଣ୍ଟା ମଧ୍ୟରେ ବିଜେପି ଦେଲା ରାଜ୍ୟସଭା ଟିକେଟ୍

ନୂଆଦିଲ୍ଲୀ: ଗତ ୧୨ ତାରିଖ ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଛାଡ଼ିଥିଲେ । ତେବେ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଅଶୋକ ପଦ୍ମ ଧରିଥିଲେ । ତେବେ ଗତ ୧୩ ତାରିଖରେ ପଦ୍ମ ଦଳରେ ସାମିଲ ହେବାର ୨୪ ଘଣ୍ଟା ମଧ୍ୟରେ ଅଶୋକଙ୍କୁ ଏକ ବଡ଼ ପୁରସ୍କାର ଦେଇଛି ବିଜେପି । ରାଜ୍ୟସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରୁ ପ୍ରାର୍ଥୀ ହେବେ ଅଶୋକ । ଏନେଇ ବିଜେପି ପକ୍ଷରୁ ଘୋଷଣା କରାଯାଇଛି ।

ଗତକାଲି ଅଶୋକ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ବିଜେପିରେ ସାମିଲ ହେବା ନେଇ ତା’ ପୂର୍ବରୁ ନିଜେ ଅଶୋକ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ । ୬୫ ବର୍ଷୀୟ ଅଶୋକ ଆସନ୍ତା ୧୪ ତାରିଖରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଆଜି ତାହା ସତ ହୋଇଛି । ଦଳରେ ମିଶିବାର ୨୪ ଘଣ୍ଟା ନ ପୂରୁଣୁ ଅଶୋକଙ୍କୁ ଏକ ବଡ଼ ପୁରସ୍କାର ଦେଇଛି ବିଜେପି ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ମିଲିନ୍ଦ ଦେୱରା ଓ ବାବା ସିଦ୍ଦିକୀ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏବେ ଅଶୋକ ହାତ ଛାଡ଼ିବା ପରେ ଦଳକୁ ଲାଗିଛି ଏକ ବଡ଼ ଝଟକା । ତେବେ ଅଶୋକଙ୍କ ସହ ଥିବା ୨-୪ ଜଣ ବିଧାୟକ ମଧ୍ୟ ଦଳ ଛାଡ଼ିପାରନ୍ତି ବୋଲି କୁହାଯାଉଛି । କଂଗ୍ରେସ ଛାଡ଼ିବା ପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଶେଷରେ ତାହା ସତ ପ୍ରମାଣିତ ହୋଇଥିଲା । ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ବିଜେପି ଅଶୋକଙ୍କୁ ଏକ ବଡ଼ ଦାୟିତ୍ୱ ଦେବାର ସମ୍ଭାବନା ଅନୁମାନ କରାଯାଉଥିଲା ।

Get real time updates directly on you device, subscribe now.