fbpx

ପାଞ୍ଚ ବର୍ଷର ଟ୍ରଫି ମରୁଡ଼ି ଶେଷ କରିବାକୁ ଭାରତ: ଟିମରେ ୫ ଟି ପରିବର୍ତ୍ତନ କରିବେ ହିଟମ୍ୟାନ୍

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପ କ୍ରିକେଟ ପ୍ରତିଯୋଗିତାରେ ସଫଳ ହେବା ଭାରତ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି । ଫାଇନାଲରେ ଶ୍ରୀଲଙ୍କା ସହିତ ମୁକାବିଲା କରିବ ଭାରତ । ଗତ ପାଞ୍ଚ ବର୍ଷ ଧରି ଭାରତ ଏସିଆ କପ ଟାଇଟଲ ଜିତି ପାରି ନାହିଁ । ୨୦୧୮ରେ ଭାରତ ଜିତିଥିଲା ଶେଷ ଏସିଆ କପ ଟାଇଟଲ । ଦୁବାଇରେ ଅନୁଷ୍ଠିତ ଏହି ଏସିଆ କପ ଫାଇନାଲରେ ବାଂଲାଦେଶକୁ ୩ ୱିକେଟରେ ହରାଇ ଭାରତ ଚାମ୍ପିଅନ ହୋଇଥିଲା । ଗତ ଏସିଆ କପରେ ଭାରତ ଫାଇନାଲ ଖେଳିବା ସମ୍ଭବ ହୋଇ ନ ଥିଲା । ତେଣୁ ଚଳିତ ବର୍ଷ ପୁଣି ଟାଇଟଲ ହାସଲ କରିବା ସୁଯୋଗ ପାଇଛି । ମାତ୍ର ଶ୍ରୀଲଙ୍କାକୁ ହରାଇବା ନିଶ୍ଚିତ ବଡ ଚାଲେଞ୍ଜ ।

ରବିବାର ଅନୁଷ୍ଠିତ ହେବାକୁ ଥିବା ଟାଇଟଲ ଲଢ଼େଇ ପୂର୍ବରୁ ଉଭୟ ଦଳର ଦୁଇ ପ୍ରମୁଖ ସ୍ପିନର ଆହତ ହୋଇଛନ୍ତି । ଶ୍ରୀଲଙ୍କା ଦଳର ପ୍ରମୁଖ ସ୍ପିନର ମାହିଶ ଥିକସାନା ଓ ଭାରତୀୟ ଦଳର ଅକ୍ଷର ପଟେଲଙ୍କୁ ଆଘାତ ଲାଗି ଥିବାରୁ ଫାଇନାଲ ମ୍ୟାଚ ଖେଳି ପାରିବେ ନାହିଁ । ତେଣୁ ଅକ୍ଷରଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦର ଖେଳିବା ପାଇଁ ଦଳରେ ସାମିଲ ହୋଇଛନ୍ତି । ତେବେ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ପାଇଁ ମଧ୍ୟ ଏସିଆ କପ ଟାଇଟଲ ସବୁଠାରୁ ବଡ ଆହ୍ୱାନ । କାରଣ ଦୁହେଁ ଭାରତୀୟ ଦଳର ନେତୃତ୍ୱ ଓ ମୁଖ୍ୟ କୋଚ ଦାୟିତ୍ୱ ଗ୍ରହଣ କରିବା ପରଠାରୁ କେବେ କୌଣସି ଗୁରୁତ୍ୱପୂର୍ଣ୍ଣ ଟାଇଟଲ ଜିତିବାରେ ସଫଳ ହୋଇ ପାରି ନାହାନ୍ତି ।

ସେହିପରି ଫାଇନାଲ ମ୍ୟାଚ୍ ପାଇଁ ଭାରତୀୟ ଦଳର ଖେଳ -୧୧ ରେ ବଡ଼ ପରିବର୍ତ୍ତନ ହୋଇପାରେ। ଶୁକ୍ରବାର ଦିନ ବାଂଲାଦେଶ ବିପକ୍ଷ ସୁପର ଫୋର ମ୍ୟାଚ୍‌ରେ ଭାରତ ଏହାର ୫ ଜଣ ମୁଖ୍ୟ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା। ବର୍ତ୍ତମାନ ବିରାଟ କୋହଲି, ଜସପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ ଫାଇନାଲ ମ୍ୟାଚକୁ ଫେରିବା ନିଶ୍ଚିତ। ଏହାର ଅର୍ଥ ହେଉଛି ଏହି ୫ ଟି ପରିବର୍ତ୍ତନ ନିଶ୍ଚିତ ଅଟେ। ଏଭଳି ପରିସ୍ଥିତିରେ ମହମ୍ମଦ ଶାମି, ସୂର‌୍ୟ୍ୟକୁମାର ଯାଦବ, ତିଲକ ବର୍ମାଙ୍କ ଭଳି ଷ୍ଟାର ଖେଳାଳିମାନେ ପ୍ଲେ -୧୧ ବାହାରେ ରହିବା ନିଶ୍ଚିତ।

https://x.com/ACCMedia1/status/1702950478093676695?s=20

ଭାରତ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ହାସଲ କରିବା ପରଠାରୁ ଆଉ କେବେ କୌଣସି ଆଇସିସି ଟ୍ରଫିରେ ଚାମ୍ପିଅନ ହେବା ସୌଭାଗ୍ୟ ଲାଭ କରି ପାରି ନାହିଁ । ତେଣୁ ଏସିଆ କପରେ ବିଜୟୀ ହୋଇ ପାରିଲେ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳକୁ ଅଧିକ ପ୍ରୋତ୍ସାହନ ମିଳି ପାରିବ । ଅନ୍ୟ ପକ୍ଷରେ ଶ୍ରୀଲଙ୍କା ମଧ୍ୟ ଏସିଆ କପ ଜିତି ଦୃଢ଼ ମନୋବଳ ସହିତ ଦିନିକିଆ ବିଶ୍ୱକପ ଖେଳିବା ଲକ୍ଷ୍ୟରେ ରହିଛି । ତେବେ ଭାରତ ୨୦୧୯ ଦିନିକିଆ ବିଶ୍ୱକପ ଓ ୨୦୨୨ ଟି-୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରି ଥିଲେ ହେଁ ପରାଜିତ ହୋଇ ଫାଇନାଲ ଖେଳି ପାରି ନ ଥିଲା । ସେହିପରି ୨୦୧୯ରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ଓ ୨୦୨୩ରେ ଅନୁଷ୍ଠିତ ଦ୍ୱିତୀୟ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ସ୍ୱିକାର କରିଥିଲା । ତେଣୁ ଗତ ୧୦ ବର୍ଷ ଧରି ଭାରତ କୌଣସି ଟାଇଟଲ ଜିତି ପାରି ନାହିଁ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ତେୃତ୍ୱରେ ଭାରତ ୨୦୦୭ ଟି-୨୦ ବିଶ୍ୱକପ, ୨୦୧୧ ଦିନିକିଆ ବିଶ୍ୱକପ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିବା ପରଠାରୁ ଭାରତକୁ ଟାଇଟଲ ମରୁଡି ସମସ୍ୟା ଲାଗି ରହିଛି । କାରଣ ବିରାଟ କୋହଲିଙ୍କ ଅଧିନାୟକତ୍ୱ ସମୟରେ ଭାରତ ବିଫଳ ହୋଇ ଥିବା ବେଳେ ବର୍ତ୍ତମାନ ରୋହିତ ଶର୍ମାଙ୍କ ପାଳି ଆସିଛି ।

 

Get real time updates directly on you device, subscribe now.