fbpx

T20 WC-2022 ମ୍ୟାଚ୍ ଜିତିବା ପରେ ବି ସଂକଟରେ ଅଷ୍ଟ୍ରେଲିଆ: ସେମି ଫାଇନାଲ ପାଇଁ ଦଳ କରୁଛି ସଂଘର୍ଷ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ମିଳିସାରିଛି ଗ୍ରୁପ-୧ର ପ୍ରଥମ ସେମି ଫାଇନାଲିଷ୍ଟ । ଏବେ ଦ୍ୱିତୀୟ ଦଳକୁ ଅପେକ୍ଷା ରହିଛି । ତେବେ ଏଥିପାଇଁ ଅଷ୍ଟ୍ରେଲିଆ ବଡ ଦାବିଦାର ରହିଥିବା ବେଳେ ଦଳକୁ ଏବେ ସଂଘର୍ଷ କରିବାକୁ ପଡିଛି । ୩୮ତମ ମ୍ୟାଚରେ ଆଫଗାନିସ୍ତାନକୁ ୪ ରନରେ ମାତ୍ ଦେଇଛି ଅଷ୍ଟ୍ରେଲିଆ । ଏହି ବିଜୟ ପରେ ମଧ୍ୟ ସେମି ଫାଇନାଲକୁ ଯିବା ପାଇଁ ଦଳ ସଂଘର୍ଷ କରୁଛି । ଏଥିପାଇଁ ଅଷ୍ଟ୍ରେଲିଆକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିଛି ।

ଆଜିର ମ୍ୟାଚରେ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନକୁ ୧୬୯ ରନର ଲକ୍ଷ୍ୟ ଦେଇଥିଲା ଅଷ୍ଟ୍ରେଲିଆ । ସହଜରେ ମ୍ୟାଚ ଜିତିଯିବ ବୋଲି ଆଶା ରହିଥିଲା । କିନ୍ତୁ ଅଷ୍ଟ୍ରେଲିଆ ପାଇଁ ବିପଦ ପାଲଟି ଯାଇଥିଲେ ଆଫଗାନୀ ଷ୍ଟାର ଅଲରାଉଣ୍ଡର ରାଶିଦ ଖାନ । ବିଜୟ ଲକ୍ଷ୍ୟକୁ ପିଛା କରି ୪୮ ରନର ଏକ ଧୂଆଁଦାର ପାଳି ଖେଳିଥିଲେ ରାଶିଦ । ହେଲେ ଦଳକୁ ବିଜୟ କରାଇବାରେ ସପଳ ହୋଇ ପାରି ନାହାନ୍ତି । ତେଣୁ ବଡ ବ୍ୟବଧାନରେ ଆଫଗାନିସ୍ତାନକୁ ହରାଇ ପାରିନି ଅଷ୍ଟ୍ରେଲିଆ । ଏହି ବିଜୟ ଅଷ୍ଟ୍ରେଲିଆକୁ ୨ ପଏଣ୍ଟ ଦେଇଛି ସତ, କିନ୍ତୁ ରନ ରେଟରେ ଦଳ ବିଶେଷ ସଫଳତା ପାଇନି । ତେଣୁ ଏବେ ସେମି ଫାଇନାଲକୁ ଯିବାକୁ ହେଲେ ଶ୍ରୀଲଙ୍କା-ଇଂଲଣ୍ଡ ମ୍ୟାଚର ରେଜଲ୍ଟ ଉପରେ ନିର୍ଭର କରିବ ଅଷ୍ଟ୍ରେଲିଆ ।

ଯଦି ଏହି ମ୍ୟାଚରେ ଶ୍ରୀଲଙ୍କା ଇଂଲଣ୍ଡକୁ ମାତ୍ ଦିଏ, ତେବେ ଅଷ୍ଟ୍ରେଲିଆ ସେମି ଫାଇନାଲରେ ପ୍ରବେଶ କରିପାରିବ । କାରଣ ପଏଣ୍ଟ ଟେବୁଳରେ ଇଂଲଣ୍ଡର ରନରେଟ ଅଷ୍ଟ୍ରେଲିଆ ଅପେକ୍ଷା ଖୁବ ସୁନ୍ଦର ରହିଛି । ନ୍ୟୁଜିଲାଣ୍ଡ ଏହି ଗ୍ରୁପର ପ୍ରଥମ ଦଳ ଭାବରେ ସେମି ଫାଇନାଲରେ ପହଞ୍ଚି ସାରିଛି । ଏବେ ଆଉ ୩ଟି ସେମି ଫାଇନାଲ ଦଳକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟ ପ୍ରେମୀ ।

Get real time updates directly on you device, subscribe now.