fbpx

ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝେଇ ଡାଲା ଅଟୋ: ଜଣେ ମୃତ, ୧୩ ଗୁରୁତର

Advertisement

ଭଞ୍ଜନଗର (ଓଡ଼ିଶା ଭାସ୍କର): ଏକ ଶ୍ରମିକ ବୋଝେଇ ଡାଲା ଅଟୋ ରାସ୍ତାରେ ଓଲଟି ପଡିବା କାରଣରୁ ଘଟଣାସ୍ଥଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଅନ୍ୟ ୧୩ ଜଣ ଗୁରୁତର ଆହାତ ହୋଇଛନ୍ତି । ବେଲଗୁଣ୍ଠା ବ୍ଲକର ନାଟଙ୍ଗା ପଞ୍ଚାୟତରେ ନିର୍ମାଣାଧୀନ ଗୋଷ୍ଠୀ ଗୁହାଳନିର୍ମାଣ ପାଇଁ ଶ୍ରମିକମାନେ ଢିମ୍ଭିରିଲ୍ଲୀ ଗ୍ରାମରୁ ଏକ ଡାଲା ଅଟୋ ଯୋଗେ ଯାଉଥିବାବେଳେ ରାସ୍ତାରେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଦୁହିଁଙ୍କୁ ଏଠାରୁ ବ୍ରହ୍ମୁର ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ମୁତାବିକ, ଗାଙ୍ଗପୁର ଥାନା ଅନ୍ତର୍ଗତ ବେଲଗୁଣ୍ଠା ବ୍ଲକର ନାଟଙ୍ଗା ପଞ୍ଚାୟତର ଗୋବିନ୍ଦପୁରଠାରେ ନିର୍ମାଣାଧୀନ ଗୋଷ୍ଠୀ ଗୁହାଳ ପାଇଁ ଡିମ୍ଭିରିଲ୍ଲୀରୁ ଏକ ଡାଲା ଅଟୋରେ କିଛି ଶ୍ରମିକ ଯାଉଥିବା ବେଳେ ରାସ୍ତାରେ ମରେଇପାଟ ଠାରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଡାଲାରେ ବସିଥିବା ଶ୍ରମିକମାନେ ମଧ୍ୟ ରାସ୍ତା ଉପରେ ଛିଟିକି ପଡିଥିଲେ । ଏ ସମ୍ପର୍କରେ ସୂଚନା ପାଇବାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଆହାତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିଲା । ଏଠାରେ ଡାକ୍ତର ଢିମ୍ଭିରୀପଲ୍ଲୀ ଗ୍ରାମର ରେଣୁ ନାୟକ(୪୫)ଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ଗ୍ରାମର ଶିବ ପ୍ରଧାନ(୪୫), ରଞ୍ଜନ ନାଇକ(୨୯), ଯୁଧିଷ୍ଟିର ନାୟକ(୬୫), ଅନୀତା ନାୟକ(୨୫), ପାଣ୍ଡି ନାୟକ(୪୦), ରିତୁ ନାୟକ (୨୨), ଲକ୍ଷ୍ମୀ ବେହେରା(୪୫), ଚଞ୍ଚଳା ନାୟକ(୪୦), ସୁରେନ୍ଦ୍ର ନାହାକ(୫୬), ଜିତୁ ନାହାକ(୪୦), ରଂଜିତା ନାହାକ(୩୦), ସନ୍ୟାସୀ ନାୟକ(୫୫), ପିଙ୍କି
ମହାନ୍ତି (୪୫)ଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏଠାରୁ ୨ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ଏଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ଏଭଳି ଦୁର୍ଘଟଣା ସଂପର୍କରେ ଖବର ପାଇ ଗାଙ୍ଗପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଡାଲା ଅଟୋକୁ ଜବତ କରିଛି । ସେହିପରି ଭଞ୍ଜନଗର ମେଡିକାଲରୁ ମୃତ ରେଣୁ ନାୟକଙ୍କ ଶବକୁ ଜବତ କରି ଏ ସଂପର୍କରେ ଏକମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଧୀରେଶ ଦାଶ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.