fbpx

ରାଜ୍ୟର ୬ଟି ଜିଲ୍ଲାର ୯ଟି ସ୍ଥାନରେ ସ୍ଥାପନ ହେବ ‘ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର’: ସ୍ଥାନ ନିରୂପଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୬ଟି ଜିଲ୍ଲାରେ ସ୍ଥାପନ ହେବ ଅଟୋମେଟିକ ୱେଦର ଷ୍ଟେସନ ବା ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର । ରାଜ୍ୟର ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୯ଟି ସ୍ଥାନରେ ଏହି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରାଯିବ । ଏଥିସହିତ ୮ଟି ବାତ୍ୟା, ପବନ ବେଗ ମାପିବା କେନ୍ଦ୍ର ସ୍ଥାପନ ହେବ । ପାଣିପାଗ ସମ୍ବନ୍ଧୀୟ ସୂଚନା ସଂଗ୍ରହ ସହିତ ପାଣିପାଗ ବିଭାଗର ଗବେଷଣା ଲକ୍ଷ୍ୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ପଦକ୍ଷେପ ନେଇଛି ।

ତେବେ ଏହିସବୁ ଜିଲ୍ଲାର କେଉଁ ସବୁ ସ୍ଥାନରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରାଯିବ ସେନେଇ ସ୍ଥାନ ସ୍ଥିର କରାଯାଇ ନାହିଁ । ଏନେଇ ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (ଓସଡମା)ର ପରିଚାଳନା ନିର୍ଦ୍ଦେଶକ ଚିଠି ଲେଖି ସ୍ଥାନ ନିରୂପଣ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନ ନିରୂପଣ ପାଇଁ ଆଇଏମଡିର ଭୁବନେଶ୍ୱରର ସ୍ଥିତ ଶାଖା ପକ୍ଷରୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କୁ ଚିଠି ଲେଖାଯାଇ ସହଯୋଗ ଲୋଡ଼ା ଯାଇଥିଲା ।

ବାଲେଶ୍ୱର ଜିଲ୍ଲାର ସୋର, କମର୍ଦ୍ଦା, ବସ୍ତା ଓ ଫକିରମୋହନ ବିଶ୍ୱବିଦ୍ୟାଳୟ ପରିସର, ଭଦ୍ରକ ଜିଲ୍ଲାର ଧାମରା, ଯାଜପୁର ଜିଲ୍ଲାର ରସୁଲପୁର, କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ମୟୂରଭଞ୍ଜ ଜିଲ୍ଲାର ନଅଣା ଆଦି ସ୍ଥାନରେ କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବ ରହିଛି । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଏହି ଜିଲ୍ଲାଗୁଡ଼ିକରେ କେନ୍ଦ୍ର ସ୍ଥାପନ ହେଲେ ଉପାନ୍ତ ଅଞ୍ଚଳରୁ ପାଣିପାଗ ସମ୍ବନ୍ଧୀୟ ସୂଚନା ମିଳିପାରିବ । ଏଥିସହିତ ପାଣିପାଗ ବିଭାଗର ଗବେଷଣାରେ ଏହା ବେଶ୍ ସହାୟକ ହୋଇପାରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.