ମ୍ୟାଚ୍ ଓ୍ଵିନିଂ ଛକା ସହିତ ଧୋନୀଙ୍କ ୧୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଅକ୍ଷର ପଟେଲ୍

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀ ୧୭ ବର୍ଷ ପୂର୍ବେ ଜିମ୍ବାଓ୍ଵେ ବିପକ୍ଷରେ ଛକା ମାରିବାରେ ଏକ ଖାସ୍ ରେକର୍ଡ କରିଥିଲେ। ଯାହାକୁ ଅକ୍ଷର ପଟେଲ୍ ଧ୍ଵସ୍ତ କରିଛନ୍ତି। ଅକ୍ଷର ପଟେଲ୍ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପୋର୍ଟ ଅଫ ସ୍ପେନରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚରେ ୩୫ ବଲରୁ ଅପରାଜିତ ୬୪ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏଥିସହ ଭାରତକୁ ଅବିଶ୍ଵସନୀୟ ବିଜୟ ଦେଇଛନ୍ତି। ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ଅକ୍ଷର ପଟେଲ୍ ଏହି ଇନିଂସରେ ୧୭ ବର୍ଷ ପୁରୁଣା ଧୋନୀଙ୍କ ଖାସ୍ ରେକର୍ଡ ଭାଙ୍ଗିଛନ୍ତି।

ଧୋନୀ ୨୦୦୫ରେ ଜିମ୍ବାଓ୍ଵେ ବିପକ୍ଷରେ ଲକ୍ଷ୍ୟର ସଫଳତା ପୂର୍ବକ ପିଛା କରି ସାତ ନମ୍ବରରେ ବ୍ୟାଟିଂ କରି ତିନି ଛକା ମାରିଥିଲେ। ଦିନିକିଆରେ ଭାରତ ପକ୍ଷରୁ ସାତ ନମ୍ବରରେ ବ୍ୟାଟିଂ କରି ସଫଳତା ପୂର୍ବକ ଲକ୍ଷ୍ୟର ପିଛା କରିବା ସହ ଅଧିକ ଛକା ମାରିବାର ରେକର୍ଡ ଧୋନୀଙ୍କ ନାମରେ ଥିଲା। ଧୋନୀ ଉକ୍ତ ଇନିଂସରେ ତିନି ଛକା ମାରିଥିଲେ। ଏହା ପରେ ୟୁସୁଫ ପଠାନ ୨୦୧୧ରେ ଦକ୍ଷିଣ ଆଫ୍ରିକା ଏବଂ ଆୟରଲାଣ୍ଡ ବିପକ୍ଷରେ ଧୋନୀଙ୍କ ବରାବର କରିଥିଲେ।

ଅକ୍ଷର ପଟେଲ୍ ଏହି ରେକର୍ଡ ଭାଙ୍ଗି ନିଜର ୬୪ ରନର ଧୂଆଁଧାର ଇନିଂସରେ ପାଞ୍ଚ ଛକା ମାରିଛନ୍ତି। ଏଥିସହ ଧୋନୀ ଏବଂ ପଠାନଙ୍କୁ ପଛରେ ପକାଇଛନ୍ତି। ଅକ୍ଷର ମ୍ୟାଚରେ ସପ୍ତମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୩୧୧ ରନ କରିଥିଲା। ଜବାବରେ ଭାରତ ୪୯.୨ ଓଭରରେ ଆଠ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।