72 ଘଣ୍ଟାର ଅପରେସନ, ୧୦୦୦ CCTV…ଗୋଟିଏ ସ୍କୁଟି ଖୋଲିଲା ହତ୍ୟାର ରାଜ୍, OYOରେ କାମ କରୁଥିବା କର୍ମଚାରୀ ହିଁ…
୨୬ ଜୁଲାଇ ସକାଳେ ଦିଲ୍ଲୀର ବଦରପୁର ବସ୍ ଷ୍ଟାଣ୍ଡ ନିକଟରେ ଏକ ଚାଞ୍ଚଲ୍ୟକର ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା।
ନୂଆଦିଲ୍ଲୀ: ୨୬ ଜୁଲାଇ ସକାଳେ ଦିଲ୍ଲୀର ବଦରପୁର ବସ୍ ଷ୍ଟାଣ୍ଡ ନିକଟରେ ଏକ ଚାଞ୍ଚଲ୍ୟକର ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ସକାଳ ପ୍ରାୟ ୫:୫୧ ସମୟରେ ମିଠାପୁର ଏକ୍ସଟେନସନର ବାସିନ୍ଦା ୨୫ ବର୍ଷୀୟ ମକବୁଲ ଆକ୍ରମଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମକବୁଲଙ୍କ ହତ୍ୟା ଏବଂ ତାଙ୍କ ମୋବାଇଲ୍ ଲୁଟ୍ ଘଟଣାକୁ ନେଇ ଚଦନ୍ତ ଆରମ୍ଭ କରିଥିଲା ପୋଲିସ ।
ଦକ୍ଷିଣ ପୂର୍ବ ଜିଲ୍ଲାର ମିଳିତ ପୋଲିସ ଦଳ ଏହି ମାମଲାର ସମାଧାନ ପାଇଁ ଦିନରାତି କାମ କରିଥିଲେ ଏବଂ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନ ହେଲେ ହିମାଂଶୁ (୨୧), ମୋହସିନ ଓରଫ ନୁର (୨୦) ଏବଂ ଦୀପକ ସୂର୍ଯ୍ୟବଂଶୀ (୧୮) । ତେବେ ସେମାନେ କାହିଁକି ମକବୁଲଙ୍କ ହତ୍ୟା କଲେ, ଚାଲନ୍ତୁ ଜାଣିବା ।
ଏହି ତିନି ଜଣ ଯୁବକ ଏକ ହୋଟେଲରେ ସଫେଇ କାର୍ଯ୍ୟ କରୁଥିଲେ। ଚୋରି, ଡକାୟତି ଏବଂ ଅସ୍ତ୍ରଶସ୍ତ୍ର ଆଇନ ଭଳି ଛଅଟି ଅପରାଧିକ ମାମଲାରେ ପୂର୍ବରୁ ଜଡିତ ହିମାଂଶୁ ତାଙ୍କ ବନ୍ଧୁ ମୋହସିନ ଏବଂ ଦୀପକଙ୍କ ସହିତ ଡକାୟତି ଯୋଜନା ଆରମ୍ଭ କରିଥିଲେ। ୨୫ ଏବଂ ୨୬ ଜୁଲାଇ ରାତିରେ, ତିନି ଜଣ ମଦ୍ୟପ ଅବସ୍ଥାରେ ହୋଟେଲରେ ବସି ଏହି ଯୋଜନା କରିଥିଲେ। ସେମାନେ ମୋହସିନଙ୍କ ସ୍କୁଟିରେ ବଦରପୁର ରାସ୍ତାରେ ବାହାରିଥିଲେ।
ମଦ୍ୟପ ଅବସ୍ଥାରେ ମକବୁଲଙ୍କୁ ହତ୍ୟା
ସେମାନେ ବଦରପୁର ବସ୍ ଷ୍ଟାଣ୍ଡ ନିକଟରେ ମକବୁଲଙ୍କୁ ଫୋନରେ ବ୍ୟସ୍ତ ଥିବାର ଦେଖିଥିଲେ। ସୁଯୋଗ ଦେଖି ହିମାଂଶୁ ଏବଂ ଦୀପକ ସ୍କୁଟିରୁ ଓହ୍ଲାଇ ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ମକବୁଲ ପ୍ରତିବାଦ କରିବାରୁ କ୍ରୋଧିତ ହିମାଂଶୁ ଏକ ଛୁରୀ ବାହାର କରି ମକବୁଲଙ୍କୁ ଦୁଇଥର ଆକ୍ରମଣ କରିଥିଲେ। ମକବୁଲ ସେଠାରେ ପଡ଼ିଗଲେ ଏବଂ ତିନି ଜଣ ସେଠାରୁ ସ୍କୁଟିରେ ଫେରାର ହୋଇଗଲେ।
୧୦୦୦ ରୁ ଅଧିକ ସିସିଟିଭି ଫୁଟେଜ୍ ସ୍କାନ କରିବା ପରେ ସୁରାକ ମିଳିଲା
ଏହି ମାମଲାର ସମାଧାନ ପାଇଁ, ପୋଲିସ ୧୦୦୦ ରୁ ଅଧିକ ସିସିଟିଭି ଫୁଟେଜ୍ ସ୍କାନ କରି ବିଭିନ୍ନ ୟୁନିଟର ଦଳ ଗଠନ କରିଥିଲା। ଏକ ଘରୋଇ ସିସିଟିଭି ଫୁଟେଜ୍ରେ ଏକ ସନ୍ଦିଗ୍ଧ ସ୍କୁଟି ଦେଖାଯାଇଥିଲା, ଯାହାକୁ ଘଟଣାସ୍ଥଳ ବାରମ୍ବାର ବୁଲୁଥିବାର ଦେଖାଯାଇଥିଲା। ଏହାପରେ, ପୋଲିସ ଗୋଟିଏ ସ୍ଥାନରେ ସ୍କୁଟି ଚଢ଼ୁଥିବା ତିନି ଅଭିଯୁକ୍ତଙ୍କ ମୁହଁ ସ୍ପଷ୍ଟ ଭାବରେ ଦେଖିଲା। ତା’ପରେ ଦଳ ସମସ୍ତଙ୍କୁ ଗୋଟିଏ ପରେ ଗୋଟିଏ ଧରିଥିଲା।
ପୋଲିସ ପରେ ହିମାଂଶୁଙ୍କଠାରୁ ହତ୍ୟାରେ ବ୍ୟବହୃତ ଛୁରୀ, ମକବୁଲର ମୋବାଇଲ୍ ଏବଂ ମୋହସିନର ସ୍କୁଟି ଜବତ କରିଥିଲା। ପଚରାଉଚରା ସମୟରେ, ତିନିଜଣ ସେମାନଙ୍କର ଅପରାଧ ସ୍ୱୀକାର କରିଥିଲେ। ସେମାନେ କହିଥିଲେ ଯେ ନିଶାରେ ସେମାନେ ଏଭଳି କାମ କରିଛନ୍ତି ।