fbpx

ବହୁଚର୍ଚ୍ଚିତ ବାବୁରାମ ପଣ୍ଡା ହତ୍ୟା ମାମଲା: ୭ବର୍ଷ ପରେ ଫେରାର ଅଭିଯୁକ୍ତକୁ ଧରିଲା ପୁଲିସ

ପିପିଲି,(ଭାସ୍କର ନ୍ୟୁଜ୍‌): ଦୀର୍ଘ ୭ବର୍ଷ ପରେ ଫେରାର ହତ୍ୟା ଅଭିଯୁକ୍ତକୁ ବଳଙ୍ଗା ପୁଲିସ ଧରିବାରେ ସକ୍ଷମ ହୋଇଛି । ୨୦୧୪ ମସିହାରେ ପିପିଲି ଥାନା ଅଂଚଳରେ ଘଟିଥିବା ବହୁଚର୍ଚ୍ଚିତ ବାବୁରାମ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ମଇନ ଓରଫ ମହେନ୍ଦ୍ର ବେହେରା (୬୧)କୁ ବଳଙ୍ଗା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ଗିରଫ କରି ପିପିଲି କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ନିମାପଡାସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତ ମଇନର ଘର ବଳଙ୍ଗା ଥାନା ଅନ୍ତର୍ଗତ ବାଲିଗାଁ ଅଂଚଳରେ ବୋଲି ପୁଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ ଗତ ୨୦୧୪ ମସିହା ଜୁନ ମାସ ୧୬ ତାରିଖ ରାତିରେ କଟକର ବିଡାନାସି ଥାନା ଅନ୍ତର୍ଗତ ତୁଳସି ପୁର ଉପର ପୁଲିସ କଲୋନୀର ବାସିନ୍ଦା ବାବୁରାମ ପଣ୍ଡା(୨୬) ନିଜର ଇଣ୍ଡିଗୋ କାରରେ ଉକ୍ତ ପୁଲିସ କଲୋନି ଅଂଚଳର କୃଷ୍ଣଚନ୍ଦ୍ର ମହାନ୍ତି, ସୁରେଶଚନ୍ଦ୍ର ବାଇ, ଗଣେଷ ସେଠୀ, ଦି କ ପଣ୍ଡା, କିଷନଲାଲ ଶବରଙ୍କ ସହ ପୁରୀ ବୁଲିବାକୁ ଯାଉଥିବା ବେଳେ ରାତି ପ୍ରାୟ ୨ଟା ସମୟରେ ସେମାନେ ତେଇସିପୁର ସ୍ଥିତ “ମା କାଳି ହୋଟେଲ’ରେ ଖାଇଥିଲେ । ସେଠାରେ କିଛି ଯୁବକଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ତେବେ, ସେମାନେ ପୁରୀ ନଯାଇ ଉକ୍ତ ଇଣ୍ଡିଗୋ କାରରେ କଟକ ଫେରିବା ବାଟରେ ଉକ୍ତ ଢାବା ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ତାଙ୍କ ଗାଡିକୁ ଉକ୍ତ ଗଣ୍ଡଗୋଳକାରୀ ଯୁବକ ମାନେ ରାସ୍ତାରେ ଅଟକାଇବା ସହ ବାବୁରାମ ଓ କିଷନଲାଲଙ୍କ ଉପରେ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ବାବୁରାମର ମୁଣ୍ଡରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ, ବାବୁରାମଙ୍କ ସାଙ୍ଗ ମାନେ ତାଙ୍କୁ ଉକ୍ତ କାରରେ କଟକ ବଡ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂପର୍କରେ ବାବୁରାମଙ୍କ ବାପା ତ୍ରୈଲୋକନାଥ ପଣ୍ଡାଙ୍କ ଲିଖିତ ଅଭିଯୋଗକୁ ଭିତି କରି ପିପିଲି ପୁଲିସରେ ଏକ ହତ୍ୟା ମାମଲା ରୁଜୁ କରିଥିଲା । ଆକ୍ରମଣକାରୀ ମାନେ ମଙ୍ଗଳପୁର ଓ ଏହାର ଆଖପାଖ ଅଞ୍ଚଳର ହୋଇଥିଲା । ତତକାଳୀନ ଥାନାଧିକାରୀ ପ୍ରଭାତ କୁମାର ମଲ୍ଲିକ ଓ ତଦନ୍ତ ଅଧିକାରୀ ଏସଆଇ ଏସ.ଦାଶରଥି ପାତ୍ର ପ୍ରମୁଖ ବିଭିନ୍ନ ସ୍ଥାନ ଉପରେ ଚଢାଉ କରି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୪ଜଣଙ୍କୁ ଗିରଫ କରି ୨୦୧୪ ଜୁନ ୨୦ ତାରିଖରେ କୋର୍ଟ ଚାଲାଣ କରିଥିବା ବେଳେ ଅଭିଯୁକ୍ତ ମଇନ ଓରଫ ମହେନ୍ଦ୍ର ବେହେରା ଫେରାର ରହିଥିଲା । ଏହି ମାମଲାର ଅଭିଯୋଗ ଫର୍ଦ୍ଦକୁ ପୁଲିସ କୋର୍ଟରେ ଦାଖଲ କରିଥିବା ବେଳେ ଅଭିଯୁକ୍ତ ମଇନ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା । ତେବେ ବଳଙ୍ଗା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ମଇନକୁ ଗିରଫ କରିବାରେ ସଫଳ ହୋଇଥିଲେ ।

Get real time updates directly on you device, subscribe now.