fbpx

ଇନଷ୍ଟାଗ୍ରାମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଶ୍ରୀଗଣେଶ, ଫ୍ଲାଇଟର ୱିଣ୍ଡୋ ସିଟ୍ ପାଖରେ ବସି ଖାଉଛନ୍ତି ମୋଦକ

ନୂଆଦିଲ୍ଲୀ: ଏବେ ସାରା ଦେଶରେ ଗଣେଶ ଉତ୍ସବ ଧୁମଧାମରେ ପାଳିତ ହେଉଛି । ବିଭିନ୍ନ ସ୍ଥାନର ଆକର୍ଷଣୀୟ ପେଣ୍ଡାଲମାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସମସ୍ତେ ନିଜ ନିଜ ପେଣ୍ଡାଲକୁ ସ୍ୱତନ୍ତ୍ର କରିବାକୁ ବେଶ୍ ପ୍ରୟାସ କରିଛନ୍ତି । ବିଭିନ୍ନ ସ୍ଥାନରେ ପେଣ୍ଡାଲକୁ ସଜାଇ ଗଣପତିଙ୍କୁ ଏପରି ଭାବରେ ବିରାଜମାନ କରାଯାଇଛି ଯାହାକୁ ଦେଖିଲେ ଆଖି ଲାଖି ରହୁଛି ।

ଏହି କ୍ରମରେ ଗଣପତି ବାପାଙ୍କ ଏକ ଫଟୋ ଏବେ ଇନଷ୍ଟାଗ୍ରାମରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଫଟୋରେ ଗଣପତି ଫ୍ଲାଇଟର ୱିଣ୍ଡୋ ସିଟ୍‌ପାଖରେ ବସିଛନ୍ତି । ତାଙ୍କ ନିକଟରେ ଏକ ଟ୍ରେ ରହିଛି ଯେଉଁଥିରେ ମୋଦକ ରଖାଯାଇଛି । ଭଗବାନ ଶ୍ରୀଗଣେଶ ଆରାମରେ ସିଟ୍‌ରେ ବସି ମୋଦକର ମଜା ନେଉଛନ୍ତି । ଏହି ଭାଇରାଲ୍ ଫଟୋକୁ ଏଆଇ ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି ଯାହାକୁ ଇଣ୍ଡିଗୋ ଏୟାରଲାଇନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ indigo.6e ରେ ‘ବାପା ଘର ଆ ରହେ ହୈ ’, କ୍ୟାପସନ ସହିତ ସେୟାର କରିଛି ।

ଏହି ପୋଷ୍ଟ ଉପରେ ୟୁଜର୍ସଙ୍କ ପ୍ରତିକ୍ରିୟାର ସୁଅ ଛୁଟିବାରେ ଲାଗିଛି । ଫଟୋରେ ଭଗବାନ ଗଣେଶଙ୍କୁ ମୋଦକ ଖାଉଥିବାର ଦେଖି ୟୁଜର୍ସ କମେଣ୍ଟ କରିଛନ୍ତି କି, ଏବେ ସମୟ ଆସିଯାଇଛି କି ଯେତେବେଳେ ଇଣ୍ଡିଗୋ ମେନ୍ୟୁରେ ମୋଦକ ଆଡ୍ କରିବା ଲାଗି ଏକ ଯାଚିକା ଦାଖଲ କରାଯିବ । ଏ ପର୍ଯ୍ୟନ୍ତ ଗଣପତି ବାପାଙ୍କ ଏହି ଫଟୋ ୩ ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଲେଣି । ଏହା ସହିତ ଫଟୋକୁ ପ୍ରାୟ ୟୁଜର୍ସ ସେୟାର କରିବାରେ ବି ଲାଗିଛନ୍ତି ।

Get real time updates directly on you device, subscribe now.