fbpx

‘କ୍ୟାପଟେନଙ୍କ ଭୁଲ୍ ଅନୁମାନ ଯୋଗୁଁ ଘଟିଗଲା ବଡ଼ ବିପଦ’

ତଉକ୍ତେ ବାତ୍ୟା ଚେତାବନୀକୁ ଗମ୍ଭୀରତାର ସହ ନିଆଗଲାନି ବୋଲି କହିଲେ ଜାହାଜର ମୁଖ୍ୟ ଯନ୍ତ୍ରୀ

ମୁମ୍ବାଇ: ଆରବ ସାଗରରୁ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼-ବାତ୍ୟା ତଉକ୍ତେ ପାଇଁ ଫସିଥିବା ଜାହାଜ ବାର୍ଜ-୩୦୫ ସମ୍ପର୍କରେ ଖୋଲୁଛି ଗୁମର । ବର୍ତ୍ତମାନ ପର୍ଯ୍ୟନ୍ତ ଜାହାଜରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ୧୮୮ ଜଣଙ୍କୁ ଉଦ୍ଧାର କରାଯାଇପାରିଛି । ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ୧୮୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାବେଳେ ୩୭ ଜଣଙ୍କ ମୃତଦେହ ଠାବ ହୋଇଛି । ସେହିପରି ୩୬  ଜଣ ନିଖୋଜ ରହିଥିବାବେଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ତେବେ ଉଦ୍ଧାର ହୋଇଥିବା ଜାହାଜର ମୁଖ୍ୟ ଯନ୍ତ୍ରୀ ରହମାନ ଶେଖ୍ ସେହି ବିପଦକାଳର ଭୟାବହତା ସମ୍ପର୍କରେ ବଖାଣିଛନ୍ତି ଓ କିଛି ଅଭିଯୋଗ ମଧ୍ୟ ଉଠାଇଛନ୍ତି । ଜାହାଜର କ୍ୟାପଟେନ ବଲବିନ୍ଦର ସିଂଙ୍କ ଅଦୂରଦର୍ଶିତା ଓ ଦାୟିତ୍ୱହୀନତା ପାଇଁ ଏତେବଡ଼ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି ରହମାନ ଅଭିଯୋଗ କରିଛନ୍ତି ।

ବଞ୍ଚି ପାରିଥାନ୍ତେ ସମସ୍ତ ଯାତ୍ରୀ

ଜାତୀୟ ଗଣମାଧ୍ୟମକୁ ମୁଖ୍ୟ ଯନ୍ତ୍ରୀ ରହମାନ ଶେଖ୍ ଦେଇଥିବା ମନ୍ତବ୍ୟ ଅନୁସାରେ ଯଦି ଜାହାଜର କ୍ୟାପଟେନ୍ ଝଡ଼ବାତ୍ୟା ସମ୍ପର୍କରେ ଦିଆଯାଇଥିବା ସତର୍କତାକୁ ଗମ୍ଭୀର ସହ ଗ୍ରହଣ କରିଥାନ୍ତେ ତେବେ ସେଥିରେ ଥିବା ଲାଇଫ୍ ରାଫ୍ଟସ୍ ଆଦୌ ପଞ୍ଚର୍ ହୋଇନଥାନ୍ତା କି ଗର୍ତ୍ତ ସୃଷ୍ଟି ହୁଅନ୍ତା ନାହିଁ । ଏପରିକି ବାର୍ଜ ପି-୩୦୫ରେ ଥିବା ସମସ୍ତ ଯାତ୍ରୀଙ୍କ ଜୀବନ ସୁରକ୍ଷିତ ରହିପାରନ୍ତା ବୋଲି ରହମାନ୍ କହିଛନ୍ତି ।

‘କ୍ୟାପଟେନ୍ ଓ କମ୍ପାନିର ଭୁଲ୍ ପାଇଁ ମାଡ଼ିଆସିଲା ବିପଦ’

ଋହମାନ ଆହୁରି କହିଛନ୍ତି ଯେ ଆମକୁ ଏକ ସପ୍ତାହ ପୂର୍ବରୁ ଝଡ଼ବାତ୍ୟା ସମ୍ପର୍କରେ ସତର୍କ ସୂଚନା ମିଳିସାରିଥିଲା । କିନ୍ତୁ କ୍ୟାପଟେନ୍ ଓ କମ୍ପାନି ପକ୍ଷରୁ ଏହାକୁ ନେଇ ଭୁଲ୍ ଅନୁମାନ କରାଗଲା । ଏହି କାରଣରୁ ବଡ଼ ଦୁର୍ଘଟଣା ଘଟିଲ । ବାତ୍ୟା ସମ୍ପର୍କରେ ଯେତେବେଳେ କ୍ୟାପଟେନ ଶ୍ରୀ ସିଂହଙ୍କ ସହ ରହମାନ ଆଲୋଚନା କରିଥିଲେ ସେତେବେଳେ ପବନର ବେଗ ୪୦ କିମି ପ୍ରତି ଘଣ୍ଟାରୁ ଅଧିକ ହେବାର ନାହିଁ ବୋଲି ସେ କହିଥିଲେ । କିନ୍ତୁ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟରରୁ ଅଧିକ ରହିଥିଲା ବୋଲି ରହମାନ କହିଛନ୍ତି ।

ଲାଇଫ୍ ରାଫ୍ଟସ୍ ପଞ୍ଚର୍ ନହୋଇଥିଲେ ସମସ୍ତେ ସୁରକ୍ଷିତ ରୁହନ୍ତେ

ରହମାନ କହିଛନ୍ତି ଯେ ଝଡ଼ବାତ୍ୟା ଯୋଗୁଁ ଜାହାଜ ଏକ ସ୍ଥାନରେ ଧକ୍କା ଖାଇବା ସହ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଯାଇଥିଲା । ଫଳରେ ଧୀରେ ଧୀରେ ଜାହାଜ ଭିତରକୁ ପାଣି ପଶି ଆସିଲା । ଜାହାଜର ବାମ ଭାଗରେ ରହିଥିବା ଲାଇଫ୍ ରାଫ୍ଟସ୍ ନେଇ ଲୋକଙ୍କୁ ବଞ୍ଚାଇବାକୁ ରହମାନ ଉଦ୍ୟମ କରିବାବେଳେ ସେଥିରେ ମଧ୍ୟ ବାଧା ଉପୁଜିଥିଲା । ମୋଟ ୧୬ଟି ଲଞ୍ଚ୍ ମଧ୍ୟରୁ ୧୪ଟି ପଞ୍ଚର୍ ହୋଇସାରିଥିଲା ଏବଂ କେବଳ ୨ଟି ଲଞ୍ଚ୍ ରନ୍ କରିବା ସ୍ଥିତିରେ ଥିଲା । କିନ୍ତୁ ପବନର ବେଗ ଖୁବ୍ ପ୍ରଖର ରହିଥିବା କାରଣରୁ କେହି ମଧ୍ୟ ସେପଟକୁ ଯିବାକୁ ସାହସ କରିପାରିଲେ ନାହିଁ ବୋଲି ରହମାନ କହିଛନ୍ତି ।

188 safe out of 216 #OdishaBhaskar

ଉଦ୍ଧାର ହେଲେଣି ୧୮୮ ଜଣ

ବାର୍ଜ ପି-୩୦୫ ଜାହାଜରେ ମୋଟ ୨୬୧ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୧୮୮ ଜଣଙ୍କୁ ସେନାବାହିନୀ ସୁରକ୍ଷିତ ଉଦ୍ଧାର କରିପାରିଛନ୍ତି । ୩୭ ଜଣଙ୍କ ମୃତଦେହ ଠାବ ହୋଇଥିବାବେଳେ ୩୬ ଜଣଙ୍କ ପତ୍ତା ମିଳିନାହିଁ । ସେମାନଙ୍କୁ ଖୋଜିବାରେ ଅହରହ ଉଦ୍ୟମ କରୁଛନ୍ତି ସେନା ବାହିନୀ ।

Get real time updates directly on you device, subscribe now.