ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ଭୁବନେଶ୍ୱର ତରଫରୁ ଆସିଛି ଏକ ଖୁସି ଖବର । ନନ-ଫାକଲଟି ଗ୍ରୁପ-ଏ ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ରେଗୁଲାର ବେସିସରେ ନିଯୁକ୍ତି ଦିଆଯିବ । ଡେପୁଟି ମେଡିକାଲ ସୁପରିଟେଣ୍ଡେଣ୍ଟ, ଟ୍ୟୁଟର/ କ୍ଲିନିକାଲ ଇନଷ୍ଟ୍ରକଟର, ଚାଇଲ୍ଡ ସାଇକୋଲୋଜିଷ୍ଟ, ସିନିୟର ଆନାଲିଷ୍ଟ, ବ୍ଲଡ ଟ୍ରାନ୍ସଫୁଜନ ଅଫିସର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା ଓ ବେତନ ହାର ଅଲଗା ଅଲଗା ରହିଛି । ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ଭିତରେ ଇଚ୍ଛୁକ ପ୍ରାର୍ଥୀମାନେ ଏହି ସବୁ ପଦରେ ଆବେଦନ କରିପାରିବେ । ଅନୁସୂଚିତ ଜାତି (ଏସସି)/ ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ, ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ୩ ବର୍ଷ ଓ ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷ ବୟସ କୋହଳ କରାଯିବ । ଅଣସଂରକ୍ଷିତ ଓ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ହଜାର ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଏସସି, ଏସଟି, ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ୨୪୦୦ ଟଙ୍କା ରହିଛି । ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି । ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିବେ । ତା’ପରେ ଅନଲାଇନ୍ ଆପ୍ଲିକେସନ କପିରେ ସାଇନ କରି ପ୍ରଦତ୍ତ ଠିକଣାରେ ପ୍ରାର୍ଥୀମାନେ ପଠାଇବେ ।
ବିଜ୍ଞପ୍ତି ଲିଙ୍କ: https://aiimsbhubaneswar.nic.in/admin/Document/Notices/A-1-2024-Approveda16ed80e-5738-4203-8817-3343268c0076.pdf