fbpx

ସାବଧାନ୍… ଭୁବନେଶ୍ୱରରେ ଲାଗିବ ସ୍ପାଇକ ବ୍ୟାରିୟର: ଅମାନିଆ ଗାଡ଼ି ଚାଳକଙ୍କୁ ଶାସ୍ତି ଦେବ ଟ୍ରାଫିକ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଦୁର୍ଘଟଣା ମାମଲା ବଢିବାରେ ଲାଗିଛି । ଏହାସହିତ ବଢିବାରେ ଲାଗିଛି ଅମାନିଆଙ୍କ ବେପରୁଆ ଗାଡ଼ି ଚାଳନା । କିନ୍ତୁ ଏମାନଙ୍କୁ ଏବେ ଉଚିତ ଶାସ୍ତି ଦେବ ଟ୍ରାଫିକ ପୋଲିସ ଡିପାର୍ଟମେଣ୍ଟ । ରାଜଧାନୀର ରାଜରାସ୍ତାରେ ବିଭିନ୍ନ ଟ୍ରାଫିକ ଛକରେ ସ୍ପାଇକ ବ୍ୟାରିୟର(Spike Barrier) ଲଗାଇବା ପାଇଁ ଯୋଜନା ଆରମ୍ଭ ହୋଇଛି । ଟ୍ରାଫିକ ନିୟମ ଭାଙ୍ଗି ଖସି ଯାଉଥିବା ଡ୍ରାଇଭରଙ୍କ ପାଇଁ ନୂଆ ଫର୍ମୁଲା ଖୋଜିଛି କମିସନରେଟ୍ ପୋଲିସ । ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀମାନଙ୍କୁ ସହଜରେ ଦରି ସେମାନଙ୍କୁ ଦଣ୍ଡ ଦେବା ପାଇଁ ପୋଲିସ ଏହି ପ୍ଲାନ ଆପଣାଇବାକୁ ଯାଉଛି ।

ରଙ୍ଗ ରୁଟରେ ଗାଡ଼ି ଚଳାଇବା କିମ୍ବା ଅନ୍ୟାନ୍ୟ ଟ୍ରାଫିକ ନିୟମକୁ ବେଖାତିର କରୁଥିବା ଡ୍ରାଇଭର ଏବେଠୁ ସାବଧାନ୍ ହୋଇଯାଆନ୍ତୁ । କାରଣ ଆଗକୁ ସେମାନଙ୍କୁ ସାବାଡ କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ହାତକୁ ନେଉଛି କମିସନରେଟ ପୋଲିସ । ବହୁ ଚେଷ୍ଟା ପରେ ବି ଅମାନିଆଙ୍କୁ ସାବାଡ କରିବାରେ ପୋଲିସ ଫେଲ ମାରିଥିବା ବେଳେ ଏବେ ସ୍ପାଇକ ବ୍ୟାରିୟର ଏକମାତ୍ର ଉପାୟ ବୋଲି କହିଛନ୍ତି ପୋଲିସ କମିସନର ସଞ୍ଜୀବ ପଣ୍ଡା । ବ୍ଲକିଙ୍ଗ, ଚେକିଙ୍ଗ ଭଳି ପ୍ଲାନକୁ ବି ଫୁ’ କରି ଉଡ଼ାଇ ଦେଉଛନ୍ତି ଅମାନିଆ ଗାଡ଼ି ଚାଳକ । ଅନେକ ସମୟରେ ଟ୍ରାଫିକ ନିୟମ ଭାଙ୍ଗିବା ଭଳି ଘଟଣା ସାମନାକୁ ଆସିଥିବା ବେଳେ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଏବଂ ଡ୍ରାଇଭିଙ୍ଗ ବେଳେ ମୋବାଇଲ ବ୍ୟବହାର କରିବା ମାମଲା ଖୁବ ବଢିବାରେ ଲାଗିଛି । ଏହାଦ୍ୱାରା ନିଜ ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉଛନ୍ତି ଅମାନିଆ ଗାଡ଼ି ଚାଳକ । ତେଣୁ ଏମାନଙ୍କୁ ସାବାଡ଼ କରିବା ପାଇଁ ନୂଆ ଉପାୟ ଖୋଜାଯାଇଛି ।

ଏହିସବୁ ଅଘଟଣକୁ ରୋକିବା ପାଇଁ କମିସନରେଟ ପୋଲିସ ହାଇ କ୍ୱାଲିଟି ଷ୍ଟିଲରେ ନିର୍ମିତ ସ୍ପାଇକ ବ୍ୟାରିୟରକୁ ଅସ୍ତ୍ର କରିବା ପାଇଁ ଚିନ୍ତା କରୁଛି । ଏହାଦ୍ୱାରା ସମସ୍ତ ଗାଡ଼ି ରୋକିବା ପାଇଁ ବାଧ୍ୟ ହେବେ । ଏହାକୁ ସ୍ଥାୟୀ ବା ଅସ୍ଥାୟୀ ଭାବରେ ବିଭିନ୍ନ ଟ୍ରାଫିକ ଛକରେ ବ୍ୟବହାର କରାଯାଇପାରିବ । ବ୍ଲକିଂ ଚେକିଂ ବ୍ୟତୀତ ଟ୍ରାଫିକ ନିୟମ ସହିତ ଅଭ୍ୟସ୍ତ କରାଇବା ପାଇଁ ଏହା ବେଶ୍ ଉପଯୋଗୀ ହୋଇପାରେ ବୋଲି ଆଶା କରାଯାଉଛି । ତେବେ କେବେଠାରୁ କମିସନରେଟ୍ ପୋଲିସ ଏହି ବ୍ୟବସ୍ଥା ଲାଗୁ କରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଇନାହିଁ ।

Get real time updates directly on you device, subscribe now.