fbpx

ରାଜଧାନୀରୁ ଆସିଲା ବଡ଼ ଅଭିଯୋଗ: ୫୨୦୦ କ୍ୟାଶ ପାଇଁ ATM ବଟନ୍ ଟିପିଲେ ବାହାରୁଛି ୫୦୦୦ ଟଙ୍କା, ଗ୍ରାହକମାନେ କେମିତି ସତର୍କ ହେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ସାଇବର ଠକଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଏଥିସହିତ ଅନେକ ସମୟରେ କିଛି ଲୋକଙ୍କର ଅଜ୍ଞତାର ସୁଯୋଗ ନେଇ ଏଟିଏମ ନିକଟରେ ରହିଥିବା କିଛି ଅପରାଧ ଶ୍ରେଣୀର ଲୋକ ଅର୍ଥ ଲୁଟ କରିନେଇଥାନ୍ତି । ଟିକିଏ ଅସାବଧାନ ହେଲେ ଚୋରମାନେ ଲୋକଙ୍କୁ ନକଲି ଏଟିଏମ କାର୍ଡ ଧରାଇ ଦେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।

ସାଧାରଣ ଭାବେ ଆମେମାନେ ଆବଶ୍ୟକତା ମୁତାବକ ୧୦୦, ୫୦୦, ୧୦୦୦ ଏପରି କିଛି ପରିମାଣର ଟଙ୍କା ପାଇଁ ଏଟିଏମ ମେଶିନର ବଟନ୍ ଟିପିଥାଉ । ଏହାପରେ ଆମେ ଏଣ୍ଟର କରିଥିବା ଅଙ୍କ ମୁତାବକ କ୍ୟାଶ ଏଟିଏମରୁ ବାହାରିଥାଏ । ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏକ ବଡ଼ ଖବର । ଜଣେ ବ୍ୟକ୍ତି ଯେତିକି ଆମାଉଣ୍ଟର ଅର୍ଥ ପାଇଁ ବଟନ ଚିପିଥିଲେ ତା’ଠାରୁ କମ୍ ଅର୍ଥ ବାହାରିଥିଲା । ବଟନ ଦବାଇଥିବା ପରିମାଣଠାରୁ କମ୍ ଅର୍ଥ ବାହାରୁଥିବା ନେଇ ଅଭିଯୋଗ ହୋଇଛି ।

ଏପରିକି ଏକ ଖବର ଆସିଛି ରାଜଧାନୀର ପ୍ରଶାନ୍ତି ବିହାରର ଏକ ବ୍ୟାଙ୍କର ଏଟିଏମରୁ । ଗ୍ରାହକ ଜଣଙ୍କ ୩୦୦୦ ଟଙ୍କା ପାଇଁ ମେଶିନ ବଟନ ଦବାଇଥିବା ବେଳେ ଆସିଥିଲା ୨୯୦୦ ଟଙ୍କା । ସେହିପରି ୫୨୦୦ ଟଙ୍କା ଉଠାଇଥିବା ବେଳେ ୫୦୦୦ ଟଙ୍କା ଆସିଥିବା ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ଏଭଳି କୌଣସି ଅଭିଯୋଗ ଆସିନଥିଲା । ଏହି ଅଭିଯୋଗ ଆସିବା ପରେ ଉକ୍ତ ଏଟିଏମକୁ ତୁରନ୍ତ ଭିତ୍ତିରେ ଅଚଳ କରିଦିଆଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ।

ତେଣୁ ଆପଣମାନେ ଏଟିଏମରୁ ଟଙ୍କା ଉଠାଇବା ବେଳେ ଅତ୍ୟନ୍ତ ସାବଧାନ ରୁହନ୍ତୁ । ମେଶିନରୁ କ୍ୟାଶ ବାହାରିବା ପରେ ଆପଣମାନେ ତାହାକୁ ପକେଟରେ ପୂରେଇ ପଳାଇ ଆସନ୍ତୁ ନାହିଁ । କାଉଣ୍ଟର ଭିତରେ କିଛି ସମୟ ରହି ବାହାରିଥିବା ଅର୍ଥକୁ ଭଲ ଭାବେ ଗଣି ନିଅନ୍ତୁ । ଯଦି କମ୍ ଅର୍ଥ ଥିବ ତେବେ କ୍ୟାମେରାରେ ତାହା ରେକର୍ଡ ହୋଇଯିବ । ଏପରି ସ୍ଥିତିରେ ଆପଣମାନେ ଏନେଇ ବ୍ୟାଙ୍କ ସହ ଯୋଗଯୋଗ କରିପାରିବେ ।

Get real time updates directly on you device, subscribe now.