ସୁନ୍ଦରତା ପଡ଼ିଲା ମହଙ୍ଗା, ଘରକୁ ଫେରିଯିବେ ମହାକୁମ୍ଭର ସୁନ୍ଦରୀ ମୋନାଲିସା
ସୁନ୍ଦରତା ଠପ୍ କରିଦେଲା ବ୍ୟବସାୟ। ଘରକୁ ଫେରିଯିବେ ମହାକୁମ୍ଭର ସୁନ୍ଦରୀ ମୋନାଲିସା। ମୋନାଲିସାଙ୍କ ପାଇଁ ହଇରାଣ ହେଉଛି ପରିବାର। କିପରି ସୁଝିବେ ଋଣ ଚିନ୍ତାରେ...
ପ୍ରୟାଗରାଜ: ମହାକୁମ୍ଭରେ ଭାଇରାଲ ହୋଇଥିବା ସୁନ୍ଦରୀ ଝିଅ ମୋନାଲିସା। ନିଜ ସୁନ୍ଦରତା ପାଇଁ ଏବେ ଅସୁବିଧାରେ ପଡ଼ିଛନ୍ତି। ନିଜ ସୁନ୍ଦରତା ଯେପରି ତାଙ୍କ ପାଇଁ ଅଭିଶାପ ପାଲଟିଯାଇଛି।
ତେଣୁ ବ୍ୟବସାୟ ଛାଡ଼ି ଘରକୁ ଫେରିଯିବାକୁ ଯୋଜନା କରିଛନ୍ତି ମୋନାଲିସା। ତାଙ୍କ ସୁନ୍ଦରତା ପାଇଁ ପରିବାରକୁ ମଧ୍ୟ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି ବୋଲି କହିଛନ୍ତି ମୋନାଲିସାଙ୍କ ଜେଜେବାପା।
ଘରକୁ ଫେରିଯିବେ ମୋନାଲିସା: ଇନ୍ଦୋରର ମହେଶ୍ୱର ବାସିନ୍ଦା ମୋନାଲିସା ପ୍ରୟାଗରାଜ ମହାକୁମ୍ଭରେ ତାଙ୍କର ବାଦାମୀ ଆଖି ଏବଂ ସୌନ୍ଦର୍ଯ୍ୟ ପାଇଁ ଭାଇରାଲ ହୋଇଥିଲେ। ଏବେ ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି।
ମୋନାଲିସାଙ୍କ ଜେଜେବାପାଙ୍କ କହିବା କଥା ତାଙ୍କ ପରିବାର ଫୁଲମାଳ ବିକ୍ରୟ କରି ଟଙ୍କା ରୋଜଗାର କରନ୍ତି। ଯେବେଠାରୁ ମୋନାଲିସା ପ୍ରସିଦ୍ଧ ହେଲେ, ତାଙ୍କ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ସେହି ଲୋକମାନେ ଏବେ ସେମାନଙ୍କର ଜିନିଷପତ୍ର ବିକ୍ରି କରିପାରୁ ନାହାଁନ୍ତି। ଲୋକମାନେ ତାଙ୍କୁ ଘେରି ରହିଛନ୍ତି ଏବଂ ସାକ୍ଷାତକାର ନେଉଛନ୍ତି। ଯାହା ଯୋଗୁଁ ମୋନାଲିସା ଏବେ ଘରକୁ ଫେରିବାକୁ ଚାହୁଁଛନ୍ତି।
କିପରି ସୁଝିବେ ଋଣ: ମୋନାଲିସାଙ୍କ ଜେଜେବାପାଙ୍କ କହିବା କଥା ମୋନାଲିସା ଘରକୁ ଲଗାତାର ମେସେଜ କରୁଛନ୍ତି ଏବଂ ମହେଶ୍ୱର ଫେରିବା ବିଷୟରେ କହୁଛନ୍ତି।
ହେଲେ ମୋନାଲିସାଙ୍କ ପରିବାରର ଗୋଟେ ଲକ୍ଷ୍ୟ ଥିଲା ପ୍ରୟାଗରାଜରୁ ଭଲ ଦି ପଇସା ରୋଜଗାର କରିବା। ସେଥିପାଇଁ ପ୍ରୟାଗରାଜ କୁମ୍ଭରେ ବିକ୍ରି କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ମୁକ୍ତା ହାର ଏବଂ ପୂଜା ସାମଗ୍ରୀ ମଧ୍ୟ କିଣାଯାଇଥିଲା।
ତାହା ପୁଣି ଧାର କରଜ କରି। କିନ୍ତୁ ମୋନାଲିସାଙ୍କ ପ୍ରସିଦ୍ଧି ଯୋଗୁଁ, ଏବେ କିଣାଯାଇଥିବା ଜିନିଷଗୁଡ଼ିକ ବିକ୍ରି ହେଉନାହିଁ। ତେଣୁ ନିଆଯାଇଥିବ ଋଣକୁ କିପରି ପରିଶୋଧ କରିବୁ ସେ ବିଷୟରେ ପରିବାରଲୋକ ଚିନ୍ତିତ ଅଛନ୍ତି।
ପରିବାରକୁ ମଧ୍ୟ ହଇରାଣ କରୁଛି: ଯଦି ମୋନାଲିସାଙ୍କ ପରିବାରର କୌଣସି ସଦସ୍ୟ ପ୍ରୟାଗରାଜର କୁମ୍ଭକୁ ସେହି ଜିନିଷ ବିକ୍ରୟ କରିବାକୁ ଯାଉଛନ୍ତି, ତେବେ ସେଠାରେ ମଧ୍ୟ ଲୋକମାନେ ତାଙ୍କୁ ହଇରାଣ କରୁଛନ୍ତି।
ଏହି କାରଣରୁ, ମୋନାଲିସା ଏବଂ ତାଙ୍କ ବାପା ଫେରି ଆସିବା ପାଇଁ ଚିନ୍ତା କରିଛନ୍ତି।