fbpx

World Cup-2023 ସେମି ଫାଇନାଲ ପୂର୍ବରୁ ଭୟଙ୍କର ଅବତାର ନେଲେ ରୋହିତ: ଗୋଟିଏ ଇନିଂସରେ ଭାଙ୍ଗିଲେ ୫ଟି ବଡ଼ ରେକର୍ଡ

ଚେନ୍ନାଇ: ଆଜି ବିଶ୍ୱକପ-୨୦୨୩ର ଶେଷ ଲିଗ ମ୍ୟାଚରେ ନେଦରଲାଣ୍ଡକୁ ଭେଟିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ । ଯାହା ଦଳ ପାଇଁ ସମ୍ପୂର୍ଣ୍ଣ ଉଚିତ୍ ବୋଲି ପ୍ରମାଣ ହୋଇଛି । ଚଳିତ ବିଶ୍ୱକପରେ ପ୍ରଥମ ଥର ପାଇଁ ଉଭୟ ଓପନର ରୋହିତ ଏବଂ ଶୁଭମନ ଗିଲ୍ ୧୦୦ ରନର ଭାଗିଦାରୀ କରିଛନ୍ତି । ଉଭୟ ଖେଳାଳି ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ଅଧିନାୟକ ରୋହିତ ଏହି ମ୍ୟାଚରେ ୩ ଜଣ ପୂର୍ବ କ୍ରିକେଟରଙ୍କ ରେକର୍ଡ ସହ ୫ଟି ରେକର୍ଡ ନିଜ ନାମରେ କରି ଇତିହାସ ରଚିଛନ୍ତି ।

ରୋହିତ ଶର୍ମା ପ୍ରଥମ ଥର ଅଧିନାୟକ ଦାୟିତ୍ୱରେ ଦିନିକିଆ ବିଶ୍ୱକପ ଖେଳୁଛନ୍ତି । ଏହାମଧ୍ୟରେ ଗୋଟିଏ ସିଜନରେ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି ରୋହିତ । ତେବେ ଏହାସହିତ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଅଧିନାୟକ ୫୦୦ ରନ୍ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି । ଏହାସହିତ ଲଗାତାର ଦ୍ୱିତୀୟ ତର ଦିନିକିଆ ବିଶ୍ୱକପରେ ୫୦୦ ରନ୍ ଅତିକ୍ରମ କରିଥିବା ବ୍ୟାଟ୍ସମ୍ୟାନ ପାଲଟିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ତେବେ ଏହାପୂର୍ବରୁ ସଚିନ୍ ତେନ୍ଦୁଲକର ୧୯୯୬ ଏବଂ ୨୦୦୩ ମସିହାରେ ୫୦୦ରୁ ଅଧିକ ରନ୍ କରିବାରେ ସଫଳ ହୋଇଥିଲେ । ନେଦରଲାଣ୍ଡ ବିପକ୍ଷ ଶେଷ ଲିଗ୍ ମ୍ୟାଚରେ ୮ଟି ଚୌକା ଏବଂ ୨ଟି ଛକା ସହ ୬୧ ରନର ଇନିଂସ ଖେଳି ପାଭିଲିୟନ ଫେରିଥିଲେ ମଧ୍ୟ ୫ଟି ରେକର୍ଡ ନିଜ ନାମରେ କରିଛନ୍ତି ରୋହିତ ।

ଭାରତୀୟ ଓପନର ଭାବରେ ଇଣ୍ଟରନେସନାଲ କ୍ରିକେଟରେ ୧୪ ହଜାର ରନ୍ ସଂଗ୍ରହ କରିବା ତାଲିକାରେ ମଧ୍ୟ ନିଜ ନାମକୁ ସାମିଲ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ଏହା ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହୱାଗ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ତେବେ ସେହୱାଗ ୩୨୧ ମ୍ୟାଚରୁ ୩୬ ଶତକ ଏବଂ ୬୫ ଅର୍ଦ୍ଧଶତକ ସହ ୧୫,୭୫୮ ରନ୍ କରିଥିବା ବେଳେ ସଚିନ୍ ୩୪୬ ମ୍ୟାଚରୁ ୪୯ ଶତକ ଏବଂ ୭୫ ଅର୍ଦ୍ଧଶତକ ସହିତ ୧୫,୫୩୫ ରନ୍ ହାସଲ କରିଛନ୍ତି । ତେବେ ରୋହିତ ବର୍ତ୍ତମାନ ସୁଦ୍ଧା ୩୧୨ ମ୍ୟାଚରୁ ୪୦ ଶତକ ଏବଂ ୭୨ ଅର୍ଦ୍ଧଶତକ ସହିତ ୧୪,୦୪୯ ରନ୍ ସଂଗ୍ରହ କରିସାରିଛନ୍ତି ।

ଏହାବ୍ୟତୀତ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିବା ତାଲିକାରେ ମଧ୍ୟ ରୋହିତ ଏକ ରେକର୍ଡ ନିଜ ନାମରେ ଯୋଡ଼ିଛନ୍ତି । ନେଦରଲାଣ୍ଡ ବିପକ୍ଷରେ ୨ଟି ଛକା ସହ ଚଳିତବର୍ଷ ମୋଟ ୬୦ ଟି ଛକା ମାରିଛନ୍ତି ରୋହିତ । ଏହି ତାଲିକାରେ ସ ପୂର୍ବତନ ଦିକ୍ଷଣ ଆଫ୍ରିକା ଅଧିନାୟକ ଏବି ଡିଭିଲିୟର୍ସଙ୍କୁ ଅତିକ୍ରମ କରିଛନ୍ତି । ୨୦୧୫ ମସିହାରେ ଡିଭିଲିୟର୍ସ ମୋଟ ୫୮ଟି ଛକା ମାରି ଏହି ବିରଳ ରେକର୍ଡ ହାସଲ କରିଥିଲେ । ଏହାସହିତ ୨୦୨୩ ବିଶ୍ୱକପରେ ସେ ସର୍ବାଧିକ ଛକା ମାରିବା ତାଲିକାରେ ମଧ୍ୟ ଶୀର୍ଷରେ ପହଞ୍ଚିଛନ୍ତି । ୨୦୧୯ ବିଶ୍ୱକପରେ ଇଂଲଣ୍ଡ ଅଧିନାୟକ ଇଓନ୍ ମୋର୍ଗାନ ସର୍ବାଧିକ ୨୨ଟି ଛକା ମାରି ଏହି ରେକର୍ଡର ଅଧିକାରୀ ହୋଇଥିଲେ ।

Get real time updates directly on you device, subscribe now.