fbpx

ମୋଦୀ ସରକାର ୩.୦ରେ ଉପାଧ୍ୟକ୍ଷରୁ ଅଧ୍ୟକ୍ଷ ହେବେ ବୈଜୟନ୍ତ! ଜେପି ନଡ୍ଡାଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ବହୁମତ ପାଇବା ପରେ ଆଜି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଏହାସହିତ ଦେଶର ୭୧ ମନ୍ତ୍ରଙ୍କୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି । ଅମିତ ଶାହ, ରାଜନାଥ ସିଂହଙ୍କ ସମେତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତେବେ ଜେପି ନଡ୍ଡାଙ୍କ କ୍ୟାବିନେଟ ପଦରେ ସ୍ଥାନ ମିଳିବା ପରେ ଏବେ ଚର୍ଚ୍ଚାକୁ ଆସିଛି ବିଜେପିର ଅଧ୍ୟକ୍ଷ ପଦ । କାହାକୁ ବିଜେପିର ଅଧ୍ୟକ୍ଷ ପଦ ଦେବେ ପ୍ରଧାନମନ୍ତ୍ରୀ ମୋଦୀ? ତାଲିକାରେ ଅନେକ ନାଁ ରହିଥିବା ବେଳେ ଆଗରେ ରହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ।

ମୋଦୀ କ୍ୟାବିନେଟରେ ଜେପି ନଡ୍ଡାଙ୍କ କମବ୍ୟାକ ପରେ ବିଜେପି ନୂଆ ଅଧ୍ୟକ୍ଷଙ୍କ ସନ୍ଧାନରେ ରହିଛି । ତେବେ ଏହି ତାଲିକାରେ ଅନେକ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କେନ୍ଦ୍ରାପଡ଼ାର ନବ ନିର୍ବାଚିତ ସାଂସଦ ବୈଜୟନ୍ତ ପଣ୍ଡା ଏହି ତାଲିକାରେ ଆଗରେ ରହିଛନ୍ତି । ଜେପି ନଡ୍ଡା ଅଧ୍ୟକ୍ଷ ଦାୟିତ୍ୱରେ ରହିଥିବା ବେଳେ ଉପାଧ୍ୟକ୍ଷ ଦାୟିତ୍ୱରେ ରହିଥିଲେ ବୈଜୟନ୍ତ ପଣ୍ଡା । ବର୍ତ୍ତମାନ ଜେପି ନଡ୍ଡା ମୋଦୀ କ୍ୟାବିନେଟରେ ମନ୍ତ୍ରୀ ପାହ୍ୟାକୁ ପ୍ରତ୍ୟାବର୍ତ୍ତନ କରିବା ପରେ ବୈଜୟନ୍ତ ପଣ୍ଡାଙ୍କୁ ଅଧ୍ୟକ୍ଷ ପଦ ଦେଇପାରେ ଭାରତୀୟ ଜନତା ପାର୍ଟି । ଗତକାଲି ପର୍ଯ୍ୟନ୍ତ ବିଜେପିର ଆଗ ଧାଡ଼ିର ନେତା ଭୂପେନ୍ଦ୍ର ଯାଦବ, ଶିବରାଜ ସିଂହ ଚୌହାନ୍ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଏହି ୩ ଜଣ ନେତା ଆଜି ଅମିତ ଶାହଙ୍କ ସହିତ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇ ସାରିଛନ୍ତି । ତେଣୁ ଚଳିତବର୍ଷ ନୂଆ ଅଧ୍ୟକ୍ଷ ବାଛିବ ବିଜେପି । ତେବେ ଏଥିପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଉପାଧ୍ୟକ୍ଷ ପଦରୁ ଅଧ୍ୟକ୍ଷ ପଦରେ ନିୟୋଜିତ କରିପାରେ ଭାରତୀୟ ଜନତା ପାର୍ଟି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ଜେପି ନଡ୍ଡା ମନ୍ତ୍ରୀ ପରିଷଦର ସଦସ୍ୟ ଥିବା ବେଳେ ତାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଦିଆ ଯାଇଥିଲା । ୨୦୧୨ ମସିହାରେ ରାଜ୍ୟସଭା ସଦସ୍ୟ ହୋଇଥିଲେ ଜେପି ନଡ୍ଡା । କିନ୍ତୁ ମୋଦୀ ସରକାରକୁ ଆସିବା ପରେ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ ଏବଂ ଜେପି ନଡ୍ଡାଙ୍କୁ ସଂସଦୀୟ ବୋର୍ଡରେ ସାମିଲ କରିଥିଲେ । ତେବେ ୨୦୨୦ରେ ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ଜେପି ନଡ୍ଡାଙ୍କୁ ମିଳିଥିଲା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ । ସମ୍ବିଧାନ ଅନୁସାରେ, ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ୩ ବର୍ଷ ହୋଇଥାଏ । କିନ୍ତୁ ୨୦୨୩ରେ ଲୋକସଭା ନିର୍ବାଚନର ପ୍ରସ୍ତୁତି ପାଇଁ ନଡ୍ଡାଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରାଯାଇଥିଲା । ତେବେ ଚଳିତବର୍ଷ ଏହି କାର୍ଯ୍ୟକାଳ ଶେଷ ହୋଇଥିବାରୁ ତାଙ୍କୁ ମୋଦୀ ସରକାରରେ ପୁଣିଥରେ ମନ୍ତ୍ରୀ ପଦ ମିଳିଛି ।

Get real time updates directly on you device, subscribe now.