fbpx

ଭାରତ କା ଅମୃତ କଳସ: କୋକିଳକଣ୍ଠା ବର୍ଣ୍ଣାଳୀ ହେଲେ ଦ୍ୱିତୀୟ ରନର୍ସ ଅପ୍, ଓଡ଼ିଶାକୁ ଧନ୍ୟବାଦ୍ ସହ ଲୋକଗୀତ ପାଇଁ ପ୍ରତିଶ୍ରୁତି

ଓଡ଼ିଶା ଭାସ୍କର: ‘ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ, ଉଠ କଙ୍କାଳ ଛିଡୁ ଶୃଙ୍ଖଳ, ଜାଗ୍ରତ ପୁରବାସୀ…’ – ବର୍ଣ୍ଣାଳୀ ହୋତାଙ୍କ କୋକିଳ କଣ୍ଠରେ ଏ ଗୀତ ସାରା ଓଡ଼ିଶା ମନରେ ନୂଆ ଆଶା ଓ ନୂଆ ଅଭିଳାଷା ଜାଗ୍ରତ କରି ନିଜ ସଂସ୍କୃତି ଓ ମହାନତାକୁ ଉଜ୍ଜୀବିତ ତଥା ଉଦଭାସିତ କରିଥିଲା । ସାମାଜିକ ଗଣମାଧ୍ୟମରେ ଅଜସ୍ର ପ୍ରଶଂସା ସାଉଁଟି ଥିଲେ ଗାୟିକା ତଥା ଓଡ଼ିଶାର ସୁନା ଝିଅ ବର୍ଣ୍ଣାଳୀ ।

ଇତିମଧ୍ୟରେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ’ ‘ଭାରତ କା ଅମୃତ କଳସ ‘ ସରି ସାରିଛି। ଓଡ଼ିଆ ଝିଅ ତଥା କୋକିଳକଣ୍ଠା ଗାୟିକା ବର୍ଣ୍ଣାଳୀ ହୋତା ଅଳ୍ପକେ ଏହି ଶୋ’ ରେ ଟ୍ରଫି ହାତେଇବାରେ ବିଫଳ ହୋଇଛନ୍ତି । କିନ୍ତୁ, ସାରା ଭାରତବର୍ଷରେ ସେ ଚମକିଛନ୍ତି । ତାହାସହ ସାରା ଭାରତବାସୀ ଶୁଣିଛନ୍ତି ବର୍ଣ୍ଣାଳୀଙ୍କ ଓଡ଼ିଆ ଲୋକଗୀତ । ଶୋ’ ରେ ବର୍ଣ୍ଣାଳୀ ହୋତା ଦ୍ଵିତୀୟ ରନର୍ସଅପ୍ ହୋଇଛନ୍ତି। ‘ଭାରତ କି ଅମୃତ କଳସ’ ଫାଇନାଲ ରାଉଣ୍ଡରେ ବର୍ଣ୍ଣାଳୀ ହୋତା ନିଜର ଶତପ୍ରତିଶତ ଦେଇଥିଲେ । ହେଲେ ଟ୍ରଫି ଜିତି ପାରି ନ ଥିଲେ ସେ ।

ତଥାପି, ଏହି ଗାୟିକା ଜଣକ ସମସ୍ତଙ୍କ ହୃଦୟରେ ଏବେ ରାଜ କରୁଛନ୍ତି ଓଡ଼ିଆ ଲୋକଗୀତ, କଳା ତଥା ସଂସ୍କୃତିକୁ ଅଣଓଡ଼ିଆଙ୍କ ନିକଟରେ ଆଦୃତ କରି। କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ପ୍ରତିଟି ଓଡ଼ିଆଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ଓଡ଼ିଆ ଲୋକ ସଂସ୍କୃତି ପାଇଁ ଆହୁରି କାମ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ତାହାସହ ସେ କହିଛନ୍ତି ଯେ , ଯଦିଓ ସେ ଫାଇନାଲରେ ଟ୍ରଫି ଜିତି ନାହାନ୍ତି; ତଥାପି ଓଡ଼ିଆ ଲୋକ ଗୀତକୁ ଭାରତରେ ପହଞ୍ଚାଇ ଖୁସି ଅଛନ୍ତି। ଭବିଷ୍ୟତରେ ସେ ନୂଆ ପ୍ରକଳ୍ପ ନେଇ ଓଡ଼ିଆ ଲୋକଗୀତ ପାଇଁ ଆହୁରି ପ୍ରୟାସ ଜାରି ରଖିବେ ବୋଲି କହି କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ସବୁ ଓଡ଼ିଆଙ୍କ ହୃଦୟରେ ଏବେ ସୁନା ଝିଅ ସାଜିଛନ୍ତି । ଏହାବାଦ୍ ‘ଭାରତ କା ଅମୃତ କଳସ ‘ର ଏହି ସୁନ୍ଦର ଓ ଅଭିନୟ ପ୍ରୟାସକୁ ସେ ଭୂରି ଭୂରି ପ୍ରଶଂସା କରିଛନ୍ତି।

କହିରଖୁ, ଦୂରଦର୍ଶନର ଦୀର୍ଘ ୬ ମାସ ଧରି ଚାଲିଥିବା ପ୍ରଥମ ଲୋକସଙ୍ଗୀତ ଭିତ୍ତିକ ଶୋ’ ଗତକାଲି ଶେଷ ହୋଇଛି। ଏଥିରେ ରାଜସ୍ଥାନର ଅନିତା ଡାଙ୍ଗୀ ଚାମ୍ପିୟନ ହୋଇଥିବାବେଳେ ମହାରାଷ୍ଟ୍ରର ସିଦ୍ଧେଶ ଯାଦବ ପ୍ରଥମ ରନର୍ସଅପ୍ ହୋଇଛନ୍ତି। ସେପଟେ ଶୋ’ ରେ ବର୍ଣ୍ଣାଳୀ ହୋତାଙ୍କୁ ଦ୍ଵିତୀୟ ରନର୍ସଅପ୍ ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଗାୟିକା ବର୍ଣ୍ଣାଳୀ ହୋତା ଟିକେ ଦୁଃଖିତ ଥିଲେ ବି ସବୁ ଜଗାର ଇଚ୍ଛା ବୋଲି କହି ଓଡ଼ିଆବାସୀଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି । ଏହାବାଦ ଲୋକଗୀତ ଲୋକମାନଙ୍କ ପାଇଁ,  ଲୋକମାନଙ୍କର ଓ ଲୋକମାନଙ୍କ ଦ୍ବାରା ଭଳି ଉକ୍ତି କହି ତାହା ପ୍ରତି ନିଜ ଭଲ ପାଇବାର ଜ୍ଵଳନ୍ତ ନିଦର୍ଶନ ଛାଡିଛନ୍ତି।

ପ୍ରକାଶଥାଉ ଯେ , ଏହି କୋକିଳକଣ୍ଠା ଗାୟିକା ଜଣକ ଫାଇନାଲରେ ‘ନୀଳାଦ୍ରି ଶଙ୍ଖମଧ୍ୟେ ଶତଦଳ କମଳେ ‘ ଗାଇ କୋଟି କୈବଲ୍ୟଙ୍କୁ ସ୍ମରଣ କରି ମଞ୍ଚ ପ୍ରବେଶ କରିଥିଲେ  । ପରେ ‘କୋଠ ଭୋଗଖିଆ ମୋ ଚକାଆଖିଆ…ଉଠ ହେ ପହଡ ଭାଙ୍ଗି..’ ଗୀତ ଗାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଓଡ଼ିଆର ନାମକୁ ମହିମାନ୍ଵିତ କରି ପାରିଛନ୍ତି ଗାୟିକା ବର୍ଣ୍ଣାଳୀ । ଶୋ’ରେ ତାଙ୍କର ଗୀତକୁ ପ୍ରସିଦ୍ଧ ଗାୟକ କୈଳାସ ଖେର୍, ବିଚାରକ ଦେବୋଜିତ ସାହା, ଗାୟତ୍ରୀ ଅଶୋକନ୍ ଓ ସ୍ନେହା ଖନାୱଲକର  ପ୍ରାୟ ସମୟରେ ପ୍ରଶଂସା କରି ଆସୁଥିଲେ । ବର୍ଣ୍ଣାଳୀଙ୍କ ଏହି ବିଜୟରେ ସାରା ଓଡ଼ିଶା ଏବେ ଝୁମୁଛି ଓ ସେ ଆହୁରି ଆଗକୁ ଯାଇ ଓଡ଼ିଶାର ନାମକୁ ବିଶ୍ୱସ୍ତରରେ ପହଞ୍ଚାନ୍ତୁ ବୋଲି ଆଶା ରଖିଛି।

 

Get real time updates directly on you device, subscribe now.