fbpx

ଭର୍ତ୍ତୃହରି ମହତାବ ହେବେ ଲୋକସଭାର ପରବର୍ତ୍ତୀ ବାଚସ୍ପତି! ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପ୍ରତୀକ୍ଷିତ ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଏବେ କେନ୍ଦ୍ରରେ ନୂଆ ସରକାର ଗଠନ ପ୍ରକ୍ରିୟା ଚାଲିଛି । ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୯ ତାରିଖ ସନ୍ଧ୍ୟାରେ ଶପଥ ଗ୍ରହଣ କରିବେ । ତେବେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପରେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନଜର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ ଓ କେନ୍ଦ୍ର କ୍ୟାବିନେଟ ଗଠନ ଉପରେ ରହିବ ।

ତେବେ ଏଥର କେନ୍ଦ୍ର କ୍ୟାବିନେଟରେ କେଉଁ ରାଜ୍ୟର କେତେଜଣ ସାଂସଦ ସ୍ଥାନ ପାଇବେ ତା’ ଉପରେ ତର୍ଜମା ଚାଲିଛି । ବିଶେଷ କରି ଏଥର ଓଡ଼ିଶାରୁ ଅତିକମରେ ଜଣେ ନେତା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇ ପାରନ୍ତି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଏଥର ଓଡ଼ିଶାକୁ ମିଳିପାରେ ବାଚସ୍ପତି ପଦ । ଚଳିତ ଥର କଟକ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବ ଲୋକସଭାର ପରବର୍ତ୍ତୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

୧୯୯୮ ମସିହାରୁ ଭର୍ତ୍ତୃହରି କ୍ରମାଗତ ଭାବେ କଟକ ଲୋକସଭା ଆସନରୁ ସାଂସଦ ଭାବେ ଜିତି ଆସୁଛନ୍ତି । ସେ ଜଣେ ବରିଷ୍ଠ ତଥା ଅଭିଜ୍ଞତା ସମ୍ପନ୍ନ ସାଂସଦ ହୋଇଥିବା ବେଳେ ପୂର୍ବରୁ ସେ ଏକାଧିକବାର ସ୍ପିକର ପ୍ୟାନେଲରେ ରହିଆସିଛନ୍ତି । ସେ ୨୦୧୭ରେ ଆଉଟଷ୍ଟାଣ୍ଡିଂ ପାର୍ଲିଆମେଣ୍ଟାରିଆନ ଆୱାର୍ଡ ପାଇବା ସହ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସଂସଦ ରତ୍ନ ଆୱାର୍ଡ ପାଇଥିଲେ । ୭ ଥର ସଂସଦକୁ ନିର୍ବାଚିତ ହୋଇଥିବା ଭର୍ତ୍ତୃହରିକୁ ଏଥର କେନ୍ଦ୍ରରେ ଏଭଳି ଏକ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.