fbpx

ଭାରତୀୟ ଦଳ ଉପରେ ବଡ ବିପଦ, ଇଂଲଣ୍ଡରେ ୨୦୦ରୁ ଅଧିକ ରନର ବିଜୟ ଲକ୍ଷ୍ୟ କେବେ ବି  ହାସଲ କରିନି

ନର୍ଟିଂହାମ: ନର୍ଟିଂହାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତକୁ ୨୦୯ ରନର ବିଜୟ ଲକ୍ଷ୍ୟ ମିଳିଛି। ଦଳ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଦ୍ଵିତୀୟ ଇନିଂସରେ ଏକ ଓ୍ଵିକେଟ୍ ବିନିମୟରେ ୫୨ ରନ କରିଛି। ଭାରତକୁ ମ୍ୟାଚ୍ ଜିତିବା ପାଇଁ ଏବେ ମଧ୍ୟ ୧୫୭ ରନ ଦରକାର। ହାତରେ ରହିଛି ୯ ଓ୍ଵିକେଟ୍। କ୍ରିଜରେ ଅଛନ୍ତି ରୋହିତ ଶର୍ମା ଓ ଚେତେଶ୍ଵର ପୂଜାରା। ଭାରତ ପ୍ରଥମ ଇନିଂସରେ ୨୭୮ ରନ କରିବା ସହ ୯୫ ରନର ଗୁରୁତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଇଂଲଣ୍ଡ ପ୍ରଥମ ଇନିଂସରେ ୧୮୩ ଓ ଦ୍ଵିତୀୟ ଇନିଂସରେ ୩୦୩ ରନ କରିଥିଲା।

ସବୁଠୁ ବଡ କଥା ଭାରତୀୟ ଦଳ ଇଂଲଣ୍ଡରେ କେବେ ମଧ୍ୟ ୨୦୦ରୁ ଅଧିକ ରନର ବିଜୟ ଲକ୍ଷ୍ୟ ହାସଲ କରି ପାରିନାହିଁ। ଦଳ ୯ ଥର ଦ୍ଵିତୀୟ ଇନିଂସରେ ୨୦୦ରୁ ଅଧିକ ରନ କରିଛି। ହେଲେ କେବେ ବି ମ୍ୟାଚ୍ ଜିତି ପାରିନାହିଁ। ଭାରତକୁ ୬ ମ୍ୟାଚରେ ପରାଜୟ ମିଳିଥିବା ବେଳେ ୩ ମ୍ୟାଚ୍ ଡ୍ର ରହିଛି। ଚତୁର୍ଥ ଇନିଂସରେ ଭାରତୀୟ ଦଳ ସର୍ବାଧିକ ୪୨୯ ରନ କରିଛି। ୧୯୭୯ରେ ଓଭାଲରେ ଖେଳାଯାଇଥିବା ଟେଷ୍ଟରେ ଇଂଲଣ୍ଡ ଭାରତ ସମ୍ମୁଖରେ ୪୩୮ ରନ ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଭାରତ ୯ ଓ୍ଵିକେଟ୍ ହରାଇ ୪୨୯ ରନ କରିପାରିଥିଲା। ଆଉ ମ୍ୟାଚ୍ ରୋମାଞ୍ଚକର ଭାବେ ଡ୍ର ରହିଥିଲା।

ଭାରତ ଇଂଲଣ୍ଡ ମାଟିରେ ୧୭୩ ରନର ସବୁଠୁ ବଡ ଲକ୍ଷ୍ୟ ହାସଲ କରିଛି। ୧୯୭୧ରେ ଓଭାଲରେ ଖେଳାଯାଇଥିବା ଟେଷ୍ଟରେ ଭାରତ ୧୭୩ ରନର  ବିଜୟ ଲକ୍ଷ୍ୟ ୬ ଓ୍ଵିକେଟ୍ ବିନିମୟରେ ହାସଲ କରି ନେଇଥିଲା ଓ ୪ ଓ୍ଵିକେଟରେ ମ୍ୟାଚ୍ ଜିତିଥିଲା। ୨୦୧୮ରେ ଭାରତ ଯେବେ ଇଂଲଣ୍ଡରେ ଶେଷ ଟେଷ୍ଟ ସିରିଜ୍ ଖେଳିଥିଲା, ସେତେବେଳେ ସାଉଥମ୍ପଟନରେ ଦଳକୁ ୨୪୫ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ହେଲେ ଭାରତ ମାତ୍ର ୧୮୪ ରନରେ ଅଲଆଉଟ୍ ହୋଇଥିଲା। ସେହି ସମୟରେ ମଧ୍ୟ ଦଳରେ ବିରାଟ କୋହଲି, କେଏଲ ରାହୁଲ, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତଙ୍କ ପରି ଖେଳାଳି ଥିଲେ। ୨୦୧୮ରେ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୪ରେ ପରାଜିତ ହୋଇଥିଲା।

Get real time updates directly on you device, subscribe now.