fbpx

ଭାରତର ସବୁଠାରୁ ବଡ଼ ବ୍ୟାଙ୍କିଙ୍ଗ ଘୋଟାଲା: ୧୭ଟି ବ୍ୟାଙ୍କକୁ ହଜାର ହଜାର କୋଟିର ଚୂନା ଲଗାଇଲେ ଦୁଇଭାଇ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଏକ ବଡ଼ ବ୍ୟାଙ୍କିଂ ଘୋଟାଲା ସାମ୍ନାକୁ ଆସିଛି । ଏବିଜି ଶିପୟାର୍ଡର ୨୨,୮୪୨ କୋଟି ଟଙ୍କାର କ୍ଷତି ହୋଇଥିବା ନିକଟରେ ସିବିଆଇ ସୂତ୍ରରୁ ଜଣାପଡ଼ିଛି । ଏହି ଘୋଟାଲାରେ ୧୭ଟି ବ୍ୟାଙ୍କର ୩୪,୬୧୫ କୋଟି ଟଙ୍କା ହଡ଼ପ କରାଯାଇଛି । ବ୍ୟାଙ୍କ ଠକାମି ମାମଲାରେ ସିବିଆଇ ପକ୍ଷରୁ ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚଏଫଏଲ)ର ପୂର୍ବତନ ଅଧ୍ୟକ୍ଷ କପିଲ ବଘାବନ, ନିର୍ଦ୍ଦେଶକ ଧୀରଜ ବଘାବନ ଓ ରିୟଲଟି କ୍ଷେତ୍ରର ଛଅଟି କମ୍ପାନୀ ବିରୋଧରେ ମାମଲା ଦାୟର କରାଯାଇଛି ।

ଡିଏଚଏଫଏଲର ଏହି ମାମଲା ବର୍ତ୍ତମାନ ସୁଦ୍ଧା ସିବିଆଇ ନିକଟରେ ପଞ୍ଜିକୃତ ହୋଇଥିବା ସବୁଠାରୁ ବଡ଼ ବ୍ୟାଙ୍କିଂ ଫ୍ରଡ ଅଟେ । ତେବେ ଏହି ଘୋଟାଲାରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱରେ ୧୭ଟି ବ୍ୟାଙ୍କ ସମୂହକୁ ଚୁନା ଲଗାଯାଇଛି । ୟୁନିୟନ ବ୍ୟାଙ୍କର ଅଭିଯୋଗ ଆଧାରରେ ଗତ ଫେବୃଆରୀ ୧୧ ତାରିଖରେ ସିବିଆଇ ମାମଲା ଦାୟର କରିଥିଲା । ମାମଲା ଦାୟର ହେବା ପରେ ସିବିଆଇର ୫୦ରୁ ଅଧିକ ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ୍ ଅଭିଯୁକ୍ତଙ୍କ ମୁମ୍ବାଇସ୍ଥିତ ୧୨ଟି ସ୍ଥାନରେ ତଲାସି ଅଭିଯାନ ଆରମ୍ଭ କରିଛି ।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ୨୦୧୦ରୁ ୨୦୧୮ ମଧ୍ୟରେ ବ୍ୟାଙ୍କଗୁଡ଼ିକ ୪୨,୮୭୧ କୋଟି ଋଣ ଦେଇଥିଲେ । ମାତ୍ର ୨୦୧୯ ମେ ମାସରେ ଗଡ଼ବଡ଼ ଆରମ୍ଭ ହୋଇଯାଇଥିଲା । ଫଳରେ ବ୍ୟାଙ୍କ ପକ୍ଷରୁ କମ୍ପାନୀ ଖାତାକୁ ଭିନ୍ନ ଭିନ୍ନ ସମୟରେ ଏନପିଏ ଘୋଷିତ କରି ଦିଆଯାଇଥିଲା । ଏହାପରେ ବ୍ୟାଙ୍କ ପକ୍ଷରୁ ଡିଏଚଏଫଏଲ କମ୍ପାନୀର ଅଡିଟ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ତେବେ ଡିଏଫଏଚଏଲର ପ୍ରୋତ୍ସାହନରେ ୬୬ଟି ସଂସ୍ଥାକୁ ୨୯,୧୦୦ କୋଟି ଋଣ ଦିଆଯାଇଥିବା ଜଣାପଡ଼ିଥିଲା । ବ୍ୟାଙ୍କରୁ ଋଣ ନେଇ ଭୂମି ଓ ସମ୍ପତ୍ତିରେ ନିବେଶ କରାଯାଇଥିବା ବ୍ୟାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେବେ କପିଲ ଓ ଧୀରଜ ଦୁଇଭାଇ ପୂର୍ବରୁ ଜେଲରେ ରହିଥିବା ବେଳେ ସେମାନେ ରାଣା କପୁରଙ୍କ ସହ ମିଶି ୟେସ ବ୍ୟାଙ୍କ ସହ ଫ୍ରଡ୍ କରିଥିଲେ ।

Get real time updates directly on you device, subscribe now.