fbpx

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟସଭା ଚାଲିଯିବେ ନୀତିଶ, ବିହାରର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଜଣେ ବିଜେପି ନେତା, ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ବର୍ତ୍ତମାନ ବଡ଼ଧରଣର ଚର୍ଚ୍ଚା ହେବାରେ ଲାଗିଛି । ଖୁବଶୀଘ୍ର ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟସଭା ଯାଇପାରନ୍ତି ବୋଲି କିଛି ଗଣମାଧ୍ୟମର ଚର୍ଚ୍ଚା ହେବାରେ ଲାଗିଛି । ବିହାରରେ ବର୍ତ୍ତମାନ ବିଜେପି ଓ ଜେଡି(ୟୁ) ମଧ୍ୟରେ ମେଣ୍ଟ ସରକାର ଚାଲିଛି । ଗତ ବିଧାନସଭା ନିର୍ବାଚନରେ ବିଜେପି ଜେଡି(ୟୁ)ଠାରୁ ଅଧିକ ସିଟ୍ ହାସଲ କରିଥିବାରୁ ବିଭିନ୍ନ ସମୟରେ ବିଜେପି ନିଜର ବଡ଼ଭାଇ ପଣିଆ ଜାହିର କରିବା ସହ ନୀତିଶଙ୍କ ପାୱାରକୁ ଏକପ୍ରକାର ନ୍ୟୁନ କରିଆସିଛି । ତେଣୁ ବିଜେପିର ବିନା ସମର୍ଥନରେ ବିହାରରେ ନୀତିଶ ମୁଖ୍ୟମନ୍ତ୍ରୀ ପଦରେ ଗୋଟିଏ ସେକେଣ୍ଡ ପାଇଁ ବି ରହିପାରିବେ ନାହିଁ ଏକଥା ସତ୍ୟ ।

ତେବେ ନୀତିଶଙ୍କୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ଜେଡି(ୟୁ) ପକ୍ଷରୁ ସଫାଇ ଦିଆଯାଇଛି । ଜେଡି(ୟୁ)ର ଜଣେ ନେତା ଏନେଇ କହିଛନ୍ତି ଯେ, ଏ ପ୍ରକାର ଗୁଜବ ଆମକୁ ମର୍ମାହତ କରିଛି । ନୀତିଶ ବିହାରବାସୀଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି, ସେ ରାଜ୍ୟସଭା କାହିଁକି ଯିବେ? ସେ ମୁଖ୍ୟମନ୍ତ୍ରୀ ଭାବେ ପୂର୍ଣ୍ଣ କାର୍ଯ୍ୟକାଳ ଜାରି ରଖିବେ, ସେ କୁଆଡ଼େ ଯିବେ ନାହିଁ ।

ନିକଟରେ ଏକ ସାକ୍ଷାତକାର ଅବସରରେ ନୀତିଶ କହିଥିଲେ ଯେ, ‘ସେ ତିନୋଟି ସଦନର ସଦସ୍ୟ ହୋଇସାରିଛନ୍ତି, କେବଳ ରାଜ୍ୟସଭା ବାକି ଅଛି ।’ ନୀତିଶଙ୍କ ଏହି ବୟାନ ପରେ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଓହରିଯାଇ ରାଜ୍ୟସଭା ଚାଲିଯିବେ ବୋଲି ବିଭନ୍ନ ମହଲରେ ଟୁପୁରୁ ଟାପୁରୁ ଚାଲିଥିଲା । ବିଜେପି ନୀତିଶଙ୍କର ଇଚ୍ଛା ପୂରଣ କରିବ ଓ ବିହାରରେ ଜଣେ ବିଜେପି ନେତା ମୁଖ୍ୟମନ୍ତ୍ରୀ ହେବେ ବୋଲି ଚାରିଆଡ଼େ ଗୁଜବ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.