fbpx

BIG BREAKING…ଜୀତିଆ ଓଷାରେ ବୁଡ଼ ପକାଇବା ବେଳେ ଅଘଟଣ, ୩୭ ଶିଶୁଙ୍କ ସମେତ ୪୬ ମୃତ

ପାଟନା: ବିହାରରେ ଜୀତିଆ ପର୍ବ ସମୟରେ ପୋଖରୀ ଓ ଅନ୍ୟାନ୍ୟ ସ୍ଥାନରେ ବୁଡ଼ ପକାଇବା ବେଳେ ୩୭ ଜଣ ଶିଶୁଙ୍କ ସମେତ ୪୬ ଜଣଙ୍କର ମୃତ୍ୟୁ ଘଟିଛି । ବିହାର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୀତିଆ ପର୍ବ ସମୟରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୋଖରୀରେ ବୁଡ଼ି ସର୍ବାଧିକ ୮ ଜଣଙ୍କ ମୃତ୍ୟୁ ଔରଙ୍ଗାବାଦ ଓ କୈମୁର ଜିଲ୍ଲାରେ ଘଟିଛି ।

ସେହିଭଳି ଦକ୍ଷିଣ ବିହାରର ଜିଲ୍ଲାଗୁଡ଼ିକରେ ସାଧାରଣତଃ ପୋଖରୀରେ କମ୍ ପାଣି ଥାଏ, କିନ୍ତୁ ବିଭାଗ ଅନୁଯାୟୀ, ଚଳିତ ବର୍ଷ ଅତ୍ୟଧିକ ବର୍ଷା ହେତୁ ପୋଖରୀରେ ପାଣି ଅଧିକ ରହିଛି । ରୋହତାସ, ଅରୱାଲ, ନାଳନ୍ଦା, ସିୱାନ ଓ ବକ୍ସର ସମେତ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ଜିତିଆ ପର୍ବରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ମହିଳା ଓ ଶିଶୁଙ୍କ ମୃତ୍ୟୁ ଘଟିଛି ।

ମଙ୍ଗଳବାର ଓ ବୁଧବାର ପୁରା ବିହାର ସମେତ ବିଭିନ୍ନ ରାଜ୍ୟରେ ଜୀତିଆ ପର୍ବ ପାଳିତ ହୋଇଥିଲା । ଏହି ପର୍ବରେ ନିଜର ପୁତ୍ରମାନଙ୍କ ମଙ୍ଗଳ କାମନା କରି ମହିଳାମାନେ ଉପବାସ ରଖନ୍ତି ଏବଂ ବିହାର ଓ ଝାଡ଼ଖଣ୍ଡ ଭଳି ଅନେକ ରାଜ୍ୟରେ ବିଭିନ୍ନ ବିଶ୍ୱାସ ଅନୁଯାୟୀ ସେମାନେ ନଦୀ କିମ୍ବା ପୋଖରୀକୁ ଗାଧୋଇବାକୁ ମଧ୍ୟ ଯାଆନ୍ତି । ଏହି ଘଟଣାକୁ ନେଇ ବିହାର ସରକାର ସହାୟତା ଘୋଷଣା କରିଛନ୍ତି । ମୃତକ ମାନଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ସରକାର ।

 

 

Get real time updates directly on you device, subscribe now.