ଭୁଶୁଡିବ କି ବିଜେଡି ଗଡ? ଶଙ୍ଖ ଛାଡି ପଦ୍ମ ଧରିଲେ ୧୮ ସରପଞ୍ଚ-ନାଏବ ସରପଞ୍ଚ

ଭୁବନେଶ୍ବର: ନିର୍ବାଚନକୁ 6 ମାସ ନପୁରୁଣୁ ଦଳ ଛାଡୁଛନ୍ତି ନେତା କର୍ମୀ । 24 ବର୍ଷ ଧରି କ୍ଷମତାରେ ରହିଥିବା ବିଜୁ ଜନତା ଦଳରୁ ସମସ୍ତେ ମୁହଁ ଫେରାଉଛନ୍ତି । ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଭାରତୀୟ ଜନତା ପାର୍ଟିରେ ମିଶିବାର ଗୋଟିଏ ଦିନ ପରେ ଆଜି ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ 18 ଜଣ ସରପଞ୍ଚ, ନାୟବ ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ପ୍ରମୁଖ ଦଳ ଛାଡିଛନ୍ତି । ତେବେ ଏତେ ଜଣ କର୍ମୀ ଦଳ ଛାଡିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି ମନେ ହେଉଛି । କେଢାଖୋଲକୁ ବିଜେଡିର ଗଡ କୁହାଯାଉଥିବା ବେଳେ ବର୍ତ୍ତମାନ କାହିଁକି ଅସନ୍ତୋଷ ଦେଖାଯାଉଛି ବୋଲି ଚର୍ଚ୍ଚା ହେଉଛି ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମ୍ବଲପୁର ବିଜେପି ଅଫିସରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି ।

ଯଦି ରାଜନୈତିକ ଦଳ କଥା ଦେଖିବା ତାହେଲେ 2000 ମସିହାରୁ ରେଢାଖୋଲ ବିଜେଡି ଖାତାରେ ରହିଛି । ଚଳିତ ବର୍ଷ ରୋହିତ ପୂଜାରୀଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦଳ ଭରସା କରିଥିଲା । ତେବେ ପ୍ରସନ୍ନ ବି ହାରମାନିନଥିଲେ । କିନ୍ତୁ ବିଜୟ ହେବା ପରେ କାହିଁକି ସମର୍ଥକ ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଏବଂ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟରେ ଆସ୍ଥାପ୍ରକଟ କରି ଦଳରେ ଯୋଗ ଦେଇଥିବାରୁ ନବାଗତ କର୍ମୀମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ତୃଣମୂଳ ସ୍ତରରେ ଏହା ଦଳକୁ ଆହୁରି ମଜଭୁତ କରିବ ବୋଲି ସେ କହିଛନ୍ତି ।