ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ୯ ଦିନ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏନଡିଏ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ଗତ ୨୩ ତାରିଖରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ହେମନ୍ତ ସୋରେନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଛନ୍ତି । ତେଣୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଏବେ ସଭିଙ୍କ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ତେବେ ଏଥର ମହାରାଷ୍ଟ୍ରକୁ ବିଜେପିର ମୁଖ୍ୟମନ୍ତ୍ରୀ ମିଳିବ ଓ ସହଯୋଗୀ ଦଳରୁ ୨ ଜଣ ଡେପୁଟୀ ସିଏମ ରହିବେ ବୋଲି ବିଜେପିର ସହଯୋଗୀ ଦଳ ଏନସିପି ନେତା ଅଜିତ ପାୱାର ପୂର୍ବରୁ କହିସାରିଛନ୍ତି ।
ତେବେ ମହାରାଷ୍ଟ୍ରରେ ପାର୍ଟିର ବିଧାୟ ଦଳ ନେତା ନି ର୍ବାଚନ ପାଇଁ ବିଜେପି ଦୁଇଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି । ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ମହାରାଷ୍ଟ୍ରରେ ଏବେ ବି ମୁଖ୍ୟମନ୍ତ୍ରୀ ଚେହେରାକୁ ନେଓ ସସପେନ୍ସ ଜାରି ରହିଥିବା ବେଳେ ଏଥର କିଏ ବାଜି ମାରିବା ତା’ ଉପରେ ଏବେ ସଭିଙ୍କ ନଜର । ଆସନ୍ତା ୫ ତାରିଖ ଦିନ ସନ୍ଧ୍ୟା ୫ଟା ସମୟରେ ମୁମ୍ବାଇର ଆଜାଦ ମୈଦାନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବ । ତା’ ପୂର୍ବର ୪ ତାରିଖ ଦିନ ବିଧାୟକ ଦଳ ବୈଠକ ହୋଇପାରେ । ଉକ୍ତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସାମିଲ ହେବେ ଓ ବିଧାୟକଙ୍କ ସହ ଆଲୋଚନା କରିବେ ।