fbpx

ବିଜେପି ଦେଶର ସବୁଠାରୁ ଧନୀ ରାଜନୀତିକ ଦଳ, ତୃତୀୟ ସ୍ଥାନକୁ ଖସିଲା କଂଗ୍ରେସ: ଏଡିଆର ରିପୋର୍ଟ

ବିଜେପି ସଂପତ୍ତି ମୂଲ୍ୟ ୪୮୪୭ କୋଟି ଟଙ୍କା

ନୂଆଦିଲ୍ଲୀ : ବିଜେପି ଦେଶର ଅନ୍ୟ ସବୁ ରାଜନୀତିକ ଦଳଗୁଡ଼ିକୁ ପଛରେ ପକାଇ ଧନୀ ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯାଇଛି । ବିଜେପିର ସମ୍ପତ୍ତି ଠାରୁ ଅନ୍ୟ ସବୁ ରାଜନୀତିକ ଦଳଗୁଡ଼ିକ ଯଥେଷ୍ଟ ପଛରେ ରହିଛନ୍ତି । ଦେଶର ସର୍ବପୁରାତନ ଦଳ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଦଳ ଏବେ ଧନୀ ତାଲିକାର ତୃତୀୟ ସ୍ଥାନକୁ ଖସି ଯାଇଛି । ମାୟାବତୀଙ୍କ ବିଏସ୍‌ପି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ୨୦୧୯- ୨୦ ଆର୍ଥିକ ବର୍ଷରେ ବିଜେପିର ମୋଟ ସମ୍ପତ୍ତିର ମୂଲ୍ୟ ୪,୮୪୭.୭୮ କୋଟି ଟଙ୍କା ରହିଛି । ଏହା ପଛକୁ ବିଏସ୍‌ପିର ସମ୍ପତ୍ତିର ମୂଲ୍ୟ ୬୯୮.୩୩ କୋଟି ଓ କଂଗ୍ରେସ ୫୮୮.୧୬ କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛି ।

ଦେଶର ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳର ସମ୍ପତ୍ତି ଏବଂ ଆର୍ଥିକ ବୋଝକୁ ବିଶ୍ଲେଷଣ କରି ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ପକ୍ଷରୁ ଏପରି ରିପୋର୍ଟ ଜାରି କରାଯାଇଛି । ଏହି ରିପୋର୍ଟରେ ୨୦୧୯-୨୦ ଆର୍ଥିକ ବର୍ଷର ତଥ୍ୟ ରହିଛି । ରିପୋର୍ଟ ଅନୁଯାୟୀ, ଦେଶର ୭ ରାଜନୀତିକ ଦଳର ମୋଟ ସମ୍ପତ୍ତିର ପରିମାଣ ୬,୯୮୮.୫୭ କୋଟି ଟଙ୍କା । ସେହିପରି ୪୪ଟି ଆଞ୍ଚଳିକ ଦଳର ସମ୍ପତ୍ତିର ମୂଲ୍ୟ ୨,୧୨୯.୩୮ କୋଟି ଟଙ୍କା । ଜାତୀୟ ଦଳଗୁଡ଼ିକର ମୋଟ ସମ୍ପତ୍ତିର ୬୯.୩୭ % ଅର୍ଥାତ ୪୮୪୭.୭୮ କୋଟି ଟଙ୍କା ବିଜେପି ପାଖରେ ରହିଛି । ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧ନଂ ସ୍ଥାନରେ ରହିଛି । ଟପ୍‌ ୧୦ ଧନୀ ଆଞ୍ଚଳିକ ଦଳଗୁଡ଼ିକର ମୋଟ ସମ୍ପତ୍ତି ୨୦୨୮.୭୧୫ କୋଟି । ଅର୍ଥାତ ଏହା ମୋଟ ସମ୍ପତ୍ତିର ୯୫.୨୭% । ୨୦୧୯-୨୦ ଆର୍ଥିକ ବର୍ଷରେ ସମାଜବାଦୀ ପାର୍ଟିର ମୋଟ ସମ୍ପତ୍ତିର ମୂଲ୍ୟ ୫୬୩.୪୭ କୋଟି ରହିଥିବା ବେଳେ ଟିଆରଏସ୍‌ର ୩୦୧.୪୭ କୋଟି ଓ ଏଆଇଏଡିଏମକେ ପାଖରେ ୨୬୭.୬୧ କୋଟିର ସମ୍ପତ୍ତି ରହିଛି । ଏଫଡିଆର/ଫିକ୍ସଡ ଡିପୋଜିଟ ଆକାରରେ ସପାର ୪୩୪.୨୧୯ କୋଟି ଟଙ୍କା ଥିବାବେଳେ, ଟିଆରଏସ୍‌ର ୨୫୬.୦୧ କୋଟି, ଏଆଇଏଡିଏମକେର ୨୪୬.୯୦ କୋଟି, ଡିଏମକେର ୧୬୨.୪୨୫ କୋଟି, ଶିବସେନାର ୧୪୮.୪୬ କୋଟି ଓ ବିଜେଡିର ୧୧୮.୪୨୫ କୋଟି ଟଙ୍କା ରହିଛି ।

Get real time updates directly on you device, subscribe now.