fbpx

୧୨ ବର୍ଷର ପୁରୁଣା ମାମଲାରେ ବିଜେପି ନେତାଙ୍କୁ ଆଜି ମିଳିଲା ଦଣ୍ଡାଦେଶ: ଯାଇପାରେ ସଂସଦର ସଦସ୍ୟତା

ଭାରତୀୟ ଜନତା ପାର୍ଟିର ସାଂସଦଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଆଗ୍ରା ଦିୱାନୀ ନ୍ୟାୟାଳୟରେ ଏମପି/ଏମଏଲଏ କୋର୍ଟ ୧୨ ବର୍ଷର ଏକ ପୁରୁଣା ମାମଲାରେ ଆଗ୍ରା ବିଶ୍ୱବିଦ୍ୟାଳୟର ପ୍ରଫେସର ରାମଶଙ୍କର କଠେରିୟାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଏହି ନିର୍ଦ୍ଦେଶ ପରେ କଠେରିୟାଙ୍କ ଓକିଲ ଉଚ୍ଚତମ ନ୍ୟାୟାଳୟକୁ ଅପିଲ କରିବା ନେଇ କରିଛନ୍ତି । ସେପଟେ ବିପକ୍ଷ ଦଳ ରାହୁଲ ଗାନ୍ଧୀଙ୍କ ଭଳି କଠେରିୟାଙ୍କ ସଂସଦର ସଦସ୍ୟତା ରଦ୍ଦ କରିବା ପାଇଁ ଦାବି କରିଛନ୍ତି ।

ସୂଚନା ଅନୁସାରେ, ରାମଶଙ୍କର କଠେରିୟା ୨ ଥର ଆଗ୍ରାର ସାଂସଦ ଭାବରେ ନିର୍ବାଚିତ ହୋଇଥିବା ବେଳେ ଇଟାୱାର ସାଂସଦ ଭାବେ ଦାୟିତ୍ୱରେ ରହିଥିଲେ । ଏହାବ୍ୟତୀତ ବିଜେପିର ରାଷ୍ଟ୍ରୀୟ ମହାସଚିବ ଏବଂ ଏସସି ଆୟୋଗର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି କଠେରିୟା । ତେବେ ନିଜ ରାଜନୈତିକ କ୍ୟାରିୟରରେ ସେ ଅନେକ ବାଦବିବାଦରେ ଘେରି ହୋଇ ରହିଛନ୍ତି । କିନ୍ତୁ ୨୦୧୧ ମସିହା ନଭେମ୍ବର ୧୬ ତାରିଖରେ କଠେରିୟା ଏକ ଏମିତି ମାମଲାରେ ଛନ୍ଦି ହୋଇ ଯାଇଥିଲେ, ଯାହା ତାଙ୍କୁ ଆଜି କଳାକୋଠରୀକୁ ଟାଣି ନେଇଛି । ଏହି ସମୟରେ ଆଗ୍ରା ଲୋକସଭା ସାଂସଦ ଥିବା ବେଳେ ଜନତାଙ୍କ ଦ୍ୱାରା ଆଗ୍ରାର ବିଦ୍ୟୁତ ଯୋଗାଣ ଦାୟିତ୍ୱରେ ଥିବା ଟୋରେଣ୍ଟ ପାୱାର କମ୍ପାନୀ ବିରୋଧରେ ଅଭିଯାନ ମଧ୍ୟ ଚଳାଇଥିଲେ କଠେରିୟା ।

ଏହି ସମୟରେ ଆଗ୍ରା ଦିଲ୍ଲୀ ହାଇୱେ ସ୍ଥିତ ସାକେଲ ମଲରେ ଟୋରେଣ୍ଟ କମ୍ପାନୀର କର୍ମୀଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏ ନେଇ ଟୋରେଣ୍ଟ କର୍ମୀ ସୁମେଧି ଲାଲଙ୍କ ଅଭିଯୋଗ ଅନୁସାରେ ହରୀପାର୍ବତ ଥାନାରେ ଆଇପିସି ଧାରା ୩୨୩ ଏବଂ ୧୪୭ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ତେବେ ଚାର୍ଜସିଟ ଦାଖଲ ପରେ ଶୁଣାଣୀ ଚାଲିଥିଲା । କିନ୍ତୁ ଏମପି/ଏମଲଏ କୋର୍ଟ ଆଜି କଠେରିୟାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି । ତେବେ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ଭଳି ରାମଶଙ୍କର କଠେରିୟାଙ୍କ ସଂସଦ ସଦସ୍ୟତା ପଦ ମଧ୍ୟ ରଦ୍ଦ କରିବା ପାଇଁ ଦାବି ହୋଇଛି ।

Get real time updates directly on you device, subscribe now.