ନବ ଦାସ ହତ୍ୟା ପ୍ରସଙ୍ଗ: ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ, ‘ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ’

କାହାକୁ ଇଙ୍ଗିତ କଲେ ପ୍ରଦୀପ ପୁରୋହିତ । ନବ ଦାସଙ୍କ ହତ୍ୟାକାରୀକୁ ନେଇ ଦେଲେ ବଡ଼ ବୟାନ ।

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାରୀ କିଏ? ତାକୁ ନେଇ ବର୍ତ୍ତମାନ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବା ବେଳେ ଏହାରି ଭିତରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ନବୀନ ପଟ୍ଟନାୟକଙ୍କ ପରେ ଯିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିଲେ ସିଏ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହିଛନ୍ତି ।

ପ୍ରଦୀପ ଆହୁରି ମଧ୍ୟ କହିଛନ୍ତି, “ଦୁର୍ଭାଗ୍ୟର ବିଷୟ ଯେ ନବଦାସଙ୍କ ହତ୍ୟା ସମୟରେ ତାଙ୍କ ପରିବାର ଲୋକେ କିଛି କହିଲେ ନାହିଁ । କ୍ଷମତା ଲୋଭ ଓ ସମ୍ପତ୍ତି ଲୋଭରେ ତଦନ୍ତ ଠିକ୍ ହେଉଥିବା କହିଲେ । ନବ ଦାସଙ୍କ ହତ୍ୟାକାଣ୍ଡର ଅଧିକ ତଦନ୍ତ ହେବାର ଆବଶ୍ୟକତା ରହିଛି ଏବଂ ପରଦା ପଛର ଖଳନାୟକ ମାନେ ସାମ୍ନାକୁ ଆସିବା ଦରକାର ।

ଯଦି ପ୍ରକୃତରେ ତାଙ୍କ ପରିବାର ନବ ଦାସଙ୍କ ହତ୍ୟାକାରୀକୁ ଧରିବାକୁ ଚାହୁଁଛନ୍ତି ତେବେ ଓଡ଼ିଶା ସରକାରଙ୍କ ନିକଟରେ ନିଜ ଅଭିଯୋଗ ଲିଖିତ ଭାବେ ଦିଅନ୍ତୁ । ”

ତେବେ ପ୍ରଦୀପ ପୁରୋହିତଙ୍କ ଏଭଳି ବୟାନ ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି କିଏ ସେହି ବିଜେଡି ନେତା । ସେ କଣ ପ୍ରକୃତ ହତ୍ୟାକାରୀକୁ ଜାଣିଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । କହିରଖୁଛୁ କି, ନବ ଦାସ ହତ୍ୟା ପଛରେ ଚକ୍ରାନ୍ତକାରୀ ଗୋଷ୍ଠୀର ହାତ ଥିବା ପୂର୍ବରୁ ସେ କହିଥିଲେ ।