୨୦୨୪ ଲୋକସଭା ନିର୍ବାଚନ: ପ୍ରଚାରରେ ସର୍ବାଧିକ ଖର୍ଚ୍ଚ କଲା BJP, କଂଗ୍ରେସ ମଧ୍ୟ ପଛରେ ନାହିଁ; ADR ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଚାର ଓ ନିର୍ବାଚନୀ କାର୍ଯ୍ୟ ପାଇଁ ସର୍ବାଧିକ ଖର୍ଚ୍ଚ କରିଛି। ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ‘ଏସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ’ (ଏଡିଆର) ରିପୋର୍ଟ ଅନୁସାରେ, ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ପ୍ରାୟ ୧,୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି, ଯାହା ମୋଟ ନିର୍ବାଚନୀ ଖର୍ଚ୍ଚର ୪୪.୫୬%। ଏହି ରିପୋର୍ଟରେ ଦେଖାଯାଇଛି ଯେ କଂଗ୍ରେସ ପାର୍ଟି ମଧ୍ୟ ପ୍ରଚାର ଖର୍ଚ୍ଚରେ ପଛରେ ନାହିଁ, ଯାହା ପ୍ରାୟ ୬୨୦ କୋଟି ଟଙ୍କା (୧୮.୫%) ଖର୍ଚ୍ଚ କରିଛି।

ଏଡିଆର ରିପୋର୍ଟ ଅନୁଯାୟୀ, ୩୨ଟି ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ମିଳିତ ଭାବେ ୨୦୨୪ ଲୋକସଭା ନିର୍ବାଚନ ଏବଂ ଏହା ସହିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ହୋଇଥିବା ବିଧାନସଭା ନିର୍ବାଚନରେ ମୋଟ ୩,୩୫୨.୮୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଖର୍ଚ୍ଚରେ ଜାତୀୟ ଦଳମାନେ ୨,୨୦୪ କୋଟି ଟଙ୍କା (୬୫.୭୫%) ଖର୍ଚ୍ଚ କରିଥିବା ବେଳେ ବିଜେପି ଏହାର ମୁଖ୍ୟ ଅଂଶ ରହିଛି।

ଖର୍ଚ୍ଚର ମୁଖ୍ୟ କ୍ଷେତ୍ର
ରିପୋର୍ଟ ଅନୁସାରେ, ପ୍ରଚାର ଖର୍ଚ୍ଚ ସର୍ବାଧିକ ରହିଛି, ଯେଉଁଥିରେ ମୋଟ ୨,୦୦୮ କୋଟି ଟଙ୍କା (୫୩%) ଖର୍ଚ୍ଚ ହୋଇଛି। ବିଜେପି ଏକାକୀ ୯୮୩.୯୨ କୋଟି ଟଙ୍କା ପ୍ରଚାର ପାଇଁ ଖର୍ଚ୍ଚ କରିଥିବା ବେଳେ କଂଗ୍ରେସ ୫୦୨.୯୭ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ପ୍ରଚାର ଖର୍ଚ୍ଚରେ ମିଡିଆ ବିଜ୍ଞାପନ, ପ୍ରଚାର ସାମଗ୍ରୀ ଓ ଜନସଭା ଆୟୋଜନ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ରାଜନୈତିକ ଦଳମାନେ ଯାତ୍ରା ଖର୍ଚ୍ଚରେ ୭୯୫.୪୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ପ୍ରାର୍ଥୀମାନଙ୍କୁ ଏକକାଳୀନ ଅର୍ଥ ପ୍ରଦାନ ପାଇଁ ୪୦୨ କୋଟି ଟଙ୍କା ବ୍ୟୟ କରିଛନ୍ତି। ଡିଜିଟାଲ ପ୍ରଚାର ପାଇଁ ୧୩୨ କୋଟି ଟଙ୍କା ଏବଂ ପ୍ରାର୍ଥୀମାନଙ୍କର ଅପରାଧିକ ପୃଷ୍ଠଭୂମି ପ୍ରକାଶ ପାଇଁ ୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଅର୍ଥ ସଂଗ୍ରହ
ଏଡିଆର ରିପୋର୍ଟ ଅନୁସାରେ, ଜାତୀୟ ଦଳମାନେ ମୋଟ ୬,୯୩୦.୨୪୬ କୋଟି ଟଙ୍କା (୯୩.୦୮%) ସଂଗ୍ରହ କରିଥିବା ବେଳେ ଆଞ୍ଚଳିକ ଦଳମାନେ ୫୧୫.୩୨ କୋଟି ଟଙ୍କା (୬.୯୨%) ସଂଗ୍ରହ କରିଛନ୍ତି। ବିଜେପି ଏକାକୀ ୬,୨୬୮ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ କଂଗ୍ରେସ ୫୯୨.୪୮ କୋଟି ଟଙ୍କା ସଂଗ୍ରହ କରିଛି। ଏହା ସହିତ, ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଜାତୀୟ ରାଜନୈତିକ ଦଳମାନଙ୍କୁ ମିଳୁଥିବା ଅର୍ଥର ପ୍ରାୟ ୬୦% ‘ଅଜଣା’ ଉତ୍ସରୁ ଆସୁଛି, ଯାହା ନିର୍ବାଚନୀ ଅର୍ଥ ସଂଗ୍ରହରେ ସ୍ୱଚ୍ଛତାର ଅଭାବକୁ ଦର୍ଶାଉଛି।

ସ୍ୱଚ୍ଛତା ସମସ୍ୟା
ଏଡିଆର ରିପୋର୍ଟରେ ନିର୍ବାଚନୀ ଖର୍ଚ୍ଚ ରିପୋର୍ଟ ଦାଖଲରେ ବିଳମ୍ବ ସମ୍ପର୍କରେ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଛି। ନିର୍ବାଚନ ଆୟୋଗ (ଇସି) ନିୟମ ଅନୁସାରେ, ରାଜନୈତିକ ଦଳମାନଙ୍କୁ ଲୋକସଭା ନିର୍ବାଚନ ପରେ ୯୦ ଦିନ ଏବଂ ବିଧାନସଭା ନିର୍ବାଚନ ପରେ ୭୫ ଦିନ ମଧ୍ୟରେ ଖର୍ଚ୍ଚ ରିପୋର୍ଟ ଦାଖଲ କରିବାକୁ ପଡ଼େ। କିନ୍ତୁ ଆମ ଆଦମୀ ପାର୍ଟି (ଏଏପି) ୧୬୮ ଦିନ ବିଳମ୍ବରେ ଏବଂ ବିଜେପି ୧୩୯ ରୁ ୧୫୪ ଦିନ ବିଳମ୍ବରେ ରିପୋର୍ଟ ଦାଖଲ କରିଥିଲା। କେବଳ କଂଗ୍ରେସ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏକ ମିଳିତ ରିପୋର୍ଟ ଦାଖଲ କରିଥିଲା।

ଏହା ବ୍ୟତୀତ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ), ଏଜେଏସୟୁ ଓ କେରଳ କଂଗ୍ରେସ (ଏମ) ଆଦି ଦଳମାନଙ୍କର ଖର୍ଚ୍ଚ ରିପୋର୍ଟ ଉପଲବ୍ଧ ହୋଇ ନାହିଁ। ଜମ୍ମୁ ଓ କାଶ୍ମୀର ପିଡିପି ଓ କେରଳ କଂଗ୍ରେସ (ଏମ) ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଶୂନ ଖର୍ଚ୍ଚ ରିପୋର୍ଟ ଦାଖଲ କରିଛନ୍ତି।