fbpx

ନିର୍ବାଚନ ପାଇଁ ବିଜେପି ଖେଳିବ ମାଷ୍ଟର ଷ୍ଟ୍ରୋକ୍: ଗୁରୁବାର ଦିନ ହେବ ୧୦୦ ପ୍ରାର୍ଥୀଙ୍କ ନାମ ଘୋଷଣା!

ନୂଆଦିଲ୍ଲୀ: ଆଉ ଦିନ କେଇଟା ଗଲେ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ସେହିପରି ନିର୍ବାଚନ ପରିଚାଳନା ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର ଅଧିକାରୀମାନେ ମଧ୍ୟ ସମସ୍ତ ରାଜ୍ୟ ପରିଦର୍ଶନ କରୁଛନ୍ତି। ତେବେ ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ମାଷ୍ଟର ଷ୍ଟ୍ରୋକ୍ ଖେଳିବ ବୋଲି କୁହାଯାଉଛି। କାରଣ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ପ୍ରଥମ ଦଫାରେ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ।

ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ଆସନ୍ତା ୨୯ ତାରିଖ ଗୁରୁବାର ଦିନ ବିଜେପିର କେନ୍ଦ୍ର ନିର୍ବାଚନ କମିଟିର ବୈଠକ ବସିବ। ତେବେ ଏହି ବୈଠକ ପରେ ଅର୍ଥାତ ସେହି ଗୁରୁବାର କିମ୍ବା ଏହାର କିଛି ଦିନ ପରେ ବିଜେପି ମୁଖ୍ୟାଳୟରେ କିଏ କେଉଁଠୁ ପ୍ରାର୍ଥୀ ହେବେ, ତା’ର ଘୋଷଣା କରାଯିବ। ତେବେ ଦଳ ପକ୍ଷରୁ ପ୍ରାୟ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଓ ସେମାନେ କେଉଁଠି ଲଢ଼ିବେ, ତା’ର ତାଲିକା ଜାରି କରାଯିବ। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନାଁ ରହିବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

ଏଠାରେ କହି ରଖୁ ଯେ, ବିଜେପି ଏଥର ଏକାକୀ ୩୭୦ ଓ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବ ବୋଲି ଲକ୍ଷ୍ୟ ରଖିଛି। ତେଣୁ ସେହି ଅନୁସାରେ ଦଳ ପ୍ରାର୍ଥୀଙ୍କୁ ମଧ୍ୟ ଚୟନ କରିବ। ଏପରି ସ୍ଥିତିରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାର ଗୁରୁତ୍ୱ ବେଶ ଅଧିକ ରହିଛି।

Get real time updates directly on you device, subscribe now.