ନୂଆଦିଲ୍ଲୀ: ନାଇଜେରିଆର ଆନାମ୍ବ୍ରା ସହରରେ ଗୋଟିଏ ଡଙ୍ଗା ବୁଡ଼ିଯିବା ଫଳରେ ଅତି କମରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କୁହାଯାଉଛି ଯେ, ଡଙ୍ଗାରେ ସମୁଦାୟ ୮୫ ଜଣ ଥିଲେ ଏବଂ ବନ୍ୟା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ନାଇଜେରିଆ ରାଷ୍ଟ୍ରପତି ମୁହମ୍ମଦୁ ବୁହାରୀ ଟ୍ୱିଟ୍ କରି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ସମସ୍ତ ଉଦ୍ଧାରକାରୀ ଟିମ୍ ଓ ରିଲିଫ ଏଜେନ୍ସିକୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ସରକାରଙ୍କ ଦ୍ୱାରା ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ନାଇଜେରିଆର ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ଏବଂ ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଭବିଷ୍ୟତରେ ଯେଭଳି ଭାବେ ଏପରି ଘଟଣାକୁ ରୋକାଯାଇପାରିବ, ସେନେଇ ସୁରକ୍ଷା ପ୍ରୋଟୋକଲଗୁଡ଼ିକୁ ଯାଞ୍ଚ କରିବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି ।
କିଛି ଦିନ ପୂର୍ବରୁ ଉତ୍ତର-ପଶ୍ଚିମ ନାଇଜେରିଆରେ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ିବାରୁ ଅନେକ ଲୋକ ଫସି ରହିଥିଲେ । ନାଇଜେରିଆର ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମୁଖ୍ୟ ନୁରା ଅବଦୁଲ୍ଲାହି କହିଥିଲେ ଯେ, ଉତ୍ତର ନାଇଜେରିଆର ଏକ ବାଣିଜ୍ୟିକ ହବ୍ କାନୋ ରାଜ୍ୟରେ ଏକ ବ୍ୟବସାୟ କେନ୍ଦ୍ର ଭାବରେ ଏହି କୋଠା ନିର୍ମାଣ କରାଯାଉଥିଲା, କିନ୍ତୁ ତଳ ମହଲାରେ ଅନେକ ଦୋକାନ ଖୋଲିଥିଲା । କୋଠା ଭୁଶୁଡ଼ିବା ହେତୁ ଅନେକ ଲୋକଙ୍କୁ ଏହା ତଳେ ଚାପି ହୋଇଥିଲେ ।