fbpx

ରେଲୱେ ଷ୍ଟେସନରେ ବିକୁଥିଲେ ଚାହା, ଆଜି ପୋଲିସ୍ ଇନ୍ସପେକ୍ଟର

ପାଟଣା: ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ, ଧର୍ଯ୍ୟ, କଠିନ ପରିଶ୍ରମ ଏବଂ କିଛି କରିଦେଖାଇବାର ନିଶା, କାହାରିକୁ ବି ସଫଳତାର ଶୀର୍ଷରେ ପହଞ୍ଚାଇପାରେ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବିହାରର ସୁକରାନ୍ତ ସିଂହ । ଯିଏକି ଚା’ ଦୋକାନୀରୁ ଆଜି ସଫଳତାରେ ଶୀର୍ଷରେ ପହଞ୍ଚିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କର କାହାଣୀ ।

୨୪ ବର୍ଷୀୟ ସୁକରାନ୍ତ ବିହାର କଟିହାର ରେଲୱେ ଷ୍ଟେସନରେ ଚା’ ବିକ୍ରି କରନ୍ତି । ତାଙ୍କର ପାଖରେ ଅର୍ଥ ଅଭାବ ରହିଥିଲା, ଖାଲି ସେତିକି ନୁହେଁ ପଢ଼ିବା ପାଇଁ ଅନେକ ସାଧନର ମଧ୍ୟ ଅଭାବ ରହିଥିଲା । କିନ୍ତୁ ସେ ପ୍ରୟାସ ଆରମ୍ଭ କରିଥିଲେ । ଆଉ ଇଣ୍ଟରନେଟ୍ ସାହାଯ୍ୟରେ ପାଠପଢ଼ା ଜାରିରଖିଥିଲେ । ବାପାଙ୍କ ସହ ଚା’ ଦୋକାନରେ କାମ କରିବା ସହ ଖାଲି ସମୟରେ ଇଣ୍ଟରନେଟ୍ ରେ ପ୍ରସ୍ତୁତି କରୁଥିଲେ । ଶେଷରେ ତାଙ୍କର ପରିଶ୍ରମ ସଫଳ ହୋଇଥିଲା ଏବଂ ସେ ପୋଲିସ ଇନ୍ସପେକ୍ଟର ହୋଇ ଅନ୍ୟମାନଙ୍କ ପ୍ରତି ଉଦାହରଣ ସୃଷ୍ଟି କରିଛନ୍ତି ।

ସୁକରାନ୍ତ କଟିହାରର ମେଦନୀପୁରର ବାସିନ୍ଦା, ୨୦ ବର୍ଷ ତଳେ ଗଙ୍ଗା ନଦୀର ବନ୍ୟାରେ ଘର ଜମି ସବୁକିଛି ହରାଇବା ପରେ ସୁକରାନ୍ତଙ୍କ ବାପା ମାନିହାରୀ ଷ୍ଟେସନ ନିକଟରେ ଚା’ ଷ୍ଟଲ ଆରମ୍ଭ କରିଥିଲେ । ସୁକରାନ୍ତ ବାପାଙ୍କ ଚା’ ଷ୍ଟଲରେ ସାହାଯ୍ୟ କରୁଥିଲେ । କିନ୍ତୁ ତାଙ୍କର ଇଚ୍ଛା ଥିଲା ସେ ଜଣେ ପୋଲିସ୍ ଅଫିସର ହେବେ । ନିଜର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ସେ ଦିନରାତି ପରିଶ୍ରମ କରୁଥିଲେ ଏବଂ ଇଣ୍ଟରନେଟ୍ ସାହାଯ୍ୟରେ ଶେଷରେ ସଫଳତା ହାସଲ କରିଛନ୍ତି । ସେପଟେ ତାଙ୍କ ପିତା ମାତା କହିଛନ୍ତି ଏହା ସେମାନଙ୍କ ପାଇଁ ଗର୍ବର ବିଷୟ ।

Get real time updates directly on you device, subscribe now.