fbpx

ଦିନରେ ୩ ଥର ରଙ୍ଗ ବଦଳାଏ ଶିବଲିଙ୍ଗ: ଜାଣନ୍ତୁ ଭୋଳାବାବାଙ୍କ ଏହି ଅପାର ଲୀଳା

ଓଡିଶା ଭାସ୍କର: ସୃଷ୍ଟିର ସଂହାର କର୍ତ୍ତା ହେଉଛନ୍ତି ଦେବ ଦେବ ମହାଦେବ । ଏହି ଧରା ପୃଷ୍ଠରେ ସହସ୍ର ନାମରେ ପୂଜା ପାଇଥାନ୍ତି ଶମ୍ଭୁନାଥ । ତନ୍ତ୍ର ସାଧନାରେ ଭୋଳାନାଥ ଭୈରବ ରୂପରେ ପୂଜା ପାଇଥାନ୍ତି । ଉଭୟ ଶିବଲିଙ୍ଗ ଓ ମୂର୍ତ୍ତିରେ ଆମେ ଭଗବାନ ଭୋଳାନାଥଙ୍କୁ ପୂଜା କରିଥାଉ। ଆମ ଭାରତରେ ବାବାଙ୍କର ଏମିତି ଅନେକ ମନ୍ଦିରର ରହିଛି ଭିନ୍ନ ଭିନ୍ନ ମହତ୍ତ୍ୱ ।

ସେହିଭଳି ଏକ ମନ୍ଦିର ହେଉଛି ରାଜସ୍ଥାନର ଅଚଳେଶ୍ୱର ମନ୍ଦିର । ଏହି ମନ୍ଦିରର ବିଶେଷତ୍ୱ ଜାଣିଲେ ଯେ କେହି ବି ପ୍ରଭୁଙ୍କ ଅପାର ଲୀଳା ଆଗରେ ହାତ ଯୋଡି ଦେବ । ବାବାଙ୍କର ଏହି ମନ୍ଦିର ଯେତିକି ପ୍ରସିଦ୍ଧ ଓ ସେତିକି ଚମତ୍କାର ମଧ୍ୟ । ଏହି ରହସ୍ୟମୟ ମନ୍ଦିର ଶତାବ୍ଦୀ ଧରି ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଏହି ମନ୍ଦିର ସହିତ ଯୋଡ଼ି ହୋଇ ରହିଛି ଲୋକମାନଙ୍କର ଗଭୀର ବିଶ୍ୱାସ ।

ରାଜସ୍ଥାନର ଧୌଳପୂର ଅବସ୍ଥିତ ଅଚଳେଶ୍ୱର ମହାଦେବ ମନ୍ଦିରର ଶିବଲିଙ୍ଗ ଦିନକୁ ତିନିଥର ରଙ୍ଗ ପରିବର୍ତ୍ତନ କରିଥାଏ। କୁହାଯାଏ ଯେ ଏହି ଶିବଲିଙ୍ଗ ପାତାଳ ଫୁଟା। ଆଶ୍ଚର୍ୟ୍ୟର କଥା ଆଜି ପର୍ୟ୍ୟନ୍ତ କେହି ଶିବଲିଙ୍ଗର ଗଭୀରତା ଜାଣିପାରି ନାହାଁନ୍ତି। ବିଶେଷଜ୍ଞମାନେ ମଧ୍ୟ ଏହାର ଶେଷରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ସ୍ଥାନୀୟ ଲୋକ କହିଛନ୍ତି ଯେ ଅଚଳେଶ୍ୱର ମନ୍ଦିରରେ ଉପସ୍ଥିତ ଥିବା ଶିବଲିଙ୍ଗର ଆରମ୍ଭ କେହି ଜାଣିପାରି ନାହାଁନ୍ତି। ଏନେଇ ଅନେକ ଖୋଜାଖୋଜି ଚାଲିଥିଲେ ସୁଦ୍ଧା ଏହାର ସଠିକ ତଥ୍ୟ ଦେଇ ପାରିନାହାଁନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଏହି ଶିବଲିଙ୍ଗ ଦିନକୁ ୩ ଥର ରଙ୍ଗ ପରିବର୍ତ୍ତନ କରିଥାଏ । ବିଶ୍ୱାସ କରାଯାଏ ଯେ ଶିବଲିଙ୍ଗ ସକାଳେ ଲାଲ ରଙ୍ଗର ହୋଇଥିବା ବେଳେ ଅପରାହ୍ନରେ ଏହା କମଳା ରଙ୍ଗ ଧାରଣ କରିଥାଏ ଏବଂ ସନ୍ଧ୍ୟାରେ ଏହାର ରଙ୍ଗ ଧୀରେ ଧୀରେ ଶ୍ୟାମଳ ରଙ୍ଗ ହେବାକୁ ଲାଗିଥାଏ । ଏହି ମନ୍ଦିରକୁ ଆସି ଶିବଲିଙ୍ଗଙ୍କ ଆଗରେ ପ୍ରଣାମ କରୁଥିବା ଭକ୍ତମାନଙ୍କର ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି ।

ତେବେ ପ୍ରଭୁଙ୍କର ଏହି ଲୀଳାକୁ ଅଦ୍ଭୁତ ଏବଂ ଅଲୌକିକ କୁହାଯାଉଛି । ମହାଦେବଙ୍କ କରୁଣା ପାଇବା ସହ ତାଙ୍କର ଅଲୌକିକ ଲୀଳା ଦେଖିବା ପାଇଁ ଏଠାରେ ପ୍ରାୟତଃ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ ।

Get real time updates directly on you device, subscribe now.