ପ୍ରେମ ପାଇଁ ପ୍ରେମିକାକୁ ଛୁରୀ ଭୁସିଲା ପ୍ରେମିକ, ପିଟିପିଟି ମାରିଦେଲେ ପରିବାର
ପରକ୍ରୀୟା ପ୍ରୀତିରୁ ମହାଭାରତ। ମୋର ନୁହେଁ ତ ଆଉ କାହାର ନୁହେଁ। ଅଜବ ପ୍ରେମ କାହାଣୀର ଅନ୍ତ ଡବଲ ମର୍ଡର।
ଉତ୍ତରପ୍ରଦେଶ: ଅଜବ ପ୍ରେମ କାହାଣୀ। ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ। ଆଉ ସଫଳ ନହେବାରୁ ଡବଲ ମର୍ଡର। ଏ ଘଟଣାଟି ବୁଝିବାକୁ ଆପଣଙ୍କୁ ହୁଏତ ଟିକେ ଜଟିଳ ଲାଗୁଥିବ। କିନ୍ତୁ ଏହୁ ମର୍ଡର କାହାଣୀରେ ରହିଛି ଟ୍ୱିଷ୍ଟ ପରେ ଟ୍ୱିଷ୍ଟ।
ପ୍ରଥମେ ପ୍ରମିକାକୁ ପ୍ରେମ ନିବେଦନ। ପରେ ରାଜି ନହେବାରୁ ପ୍ରେମିକର ଧର୍ମ ପରିବର୍ତ୍ତନ। ଆଉ ସେଥିରେ ବି ବିଫଳ ହେବାରୁ ପ୍ରେମିକାକୁ ପ୍ରେମିକର ଛୁରୀ ମାଡ। ଆଉ ଅନ୍ୟପଟେ ସେହି ସ୍ଥାନରେ ପ୍ରେମିକକୁ ପିଟିପିଟି ହତ୍ୟା।
ଅଜବ ପ୍ରେମ କାହାଣୀ: ଘଟଣାଟି ହେଉଛି ଉତ୍ତରପ୍ରଦେଶର ବାନ୍ଦ୍ରା ଜିଲ୍ଲାର। ଯେଉଁଠାରେ ରାହୁଲ ବାଲ୍ମିକ ନାମକ ଜଣେ ଯୁବକ ଜାକାରିନ୍ ନାମକ ଜଣେ ମୁସଲମାନ ଝିଅକୁ ପ୍ରେମ ନିବେଦନ କରିଥିଲେ। ହେଲେ ଧର୍ମ ଅଲଗା ଥିବାରୁ ଯୁବତୀ ଜଣକ ରାଜି ହୋଇନଥିଲେ।
ହେଲେ ଜାକାରିନକୁ ରାହୁଲ ଏତେ ଭଲ ପାଉଥିଲେ ଯେ ନିଜ ପ୍ରେମ ପାଇଁ ନିଜର ଧର୍ମ ପରିବର୍ତ୍ତନ କରି ରାହୁଲରୁ ମୁର୍ଶିଦ ହୋଇଗଲେ। ପରେ ତିନିବର୍ଷ ଧରି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା। ହେଲେ ଶେଷରେ ଝିଅର ପରିବାର ଲୋକ ଅନ୍ୟ ଏକ ଜାଗାରେ ଜାକାରିନର ବିବାହ କରିଦେଲେ।
ବିଫଳତାରୁ ଚରମ ନିଷ୍ପତ୍ତି: ଆଉ ପ୍ରେମିକାର ଅନ୍ୟତ୍ର ବିବାହ ହେବା ଦେଖି ସହିପାରିଲାନି ପ୍ରେମିକ ରାହୁଲ ଓରଫ ମୁର୍ଶିଦ। ପ୍ରତିଶୋଧ ନେବା ପାଇଁ ମୌକା ଅପେକ୍ଷାରେ ଥିଲା। ବାହାଘର ପରେ ଜାକାରିନ ଦିନେ ବାପଘରକୁ ବୁଲିବାକୁ ଆସିଥିଲେ।
ଆଉ ସେହି ସମୟର ଫାଇଦା ଉଠାଇଥିଲା ମୁର୍ଶିଦ। ରାତିରେ ଜାକାରିନ ଶୋଇଥିବା ବେଳେ, ଘରେ ପଶିଥିଲା ରାହୁଲ। ଆଉ ସେହି ସମୟରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଯେଉଁଥିରେ ଉତ୍ୟକ୍ତ ହୋଇପଡିଥିଲା ପ୍ରେମିକ। ଆଉ ଚରମ ନିଷ୍ପତ୍ତି ନେଇଯାଇଥିଲା।
ଡବଲ ମର୍ଡର: ରାଗି ଯାଇ ପ୍ରେମିକା ଜାକାରିନର ବେକ ଓ ହାତରେ ଛୁରୀରେ ଆଘାତ କରିଥିଲା ପ୍ରେମିକ ରାହୁଲ। ଆଉ ଯେତେବେଳେ ଜାକାରିନ ଚିତ୍କାର କରିବାକୁ ଲାଗିଲା। ଚିତ୍କାର ଶୁଣି କୋଠରୀରେ ପହଞ୍ଚିଯାଇଥିଲେ ଝିଅର ପରିବାର ଲୋକେ।
ଆଉ ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ସହିପାରିଲେନି ପରିବାର ଲୋକେ। ସେହିଠାରେ ପ୍ରେମିକ ରାହୁଲକୁ ଏକ ବାଡି ଯୋଗେ ପିଟିପିଟି ଦରମରା କରିଦେଇଥିଲେ।
ପୋଲିସର ସଂପୃକ୍ତି: ପରେ ଝିଅର ପରିବାର ଲୋକେ ନିଜେ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା। ଏବଂ ସଙ୍ଗେସଙ୍ଗେ ଦୁହିଁଙ୍କୁ ଜସପୁରା ସିଏଚସିରେ ଭର୍ତ୍ତି କରିଥିଲା।
କିନ୍ତୁ ଡାକ୍ତରମାନେ ସେମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ରେଫର କରିଥିଲେ। ଯେଉଁଠାରେ ଜାକିରିନଙ୍କ ରାସ୍ତାରେ ମୃତ୍ୟୁ ହୋଇଥିଲା। ହସ୍ପିଟାଲରେ ପହଞ୍ଚିବାର ପ୍ରାୟ ଅଧ ଘଣ୍ଟା ପରେ ରାହୁଲଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।