fbpx

କୋଭିଡ୍ ସମୟରେ ଦଲାଲ୍ ସକ୍ରିୟ: ଗୋଟିଏ ଶବ ପାଇଁ ୧୫ ହଜାର

ଉଦୟପୁର, ୩୦ା୪: ରାଜସ୍ଥାନରେ ଗୋଟିଏ ପଟେ କୋଭିଡ୍ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏହି ସମୟରେ ଏକ ଗୁରୁତର ଅଭିଯୋଗ ସାମନାକୁ ଆସିଛି । ଉଦୟପୁର ଅଞ୍ଚଳରେ କୋଭିଡ ମୃତକଙ୍କୁ ନେଇ ଦଲାଲଗିରି ଚାଲିଥିବା ଅଭିଯୋଗ ହୋଇଛି । ରୋଗୀଙ୍କ ଶବକୁ କେବଳ ଗାଡ଼ିରୁ ଅନ୍ତିମ ସଂସ୍କାର ସ୍ଥଳରେ ରଖିବା ପାଇଁ ଦଲାଲମାନେ ୧୫ ହଜାର ଟଙ୍କା ଦାବି କରୁଛନ୍ତି । ଫଳରେ ମୃତକଙ୍କ ପରିବାରବର୍ଗ ଏହି କରୁଣ ସମୟରେ ଏହି ମୋଟା ଅର୍ଥ ଦେବାକୁ ବାଧ୍ୟ ହେଉଛନ୍ତି । ଜଜ୍ କୁଲଦୀପ ସୂତ୍ରକର ନିଜର ଟିମ୍ ସହାୟତାରେ ଏହିପରି ଏକ ଦୁର୍ନୀତିର ପର୍ଦ୍ଦାଫାସ୍ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ଏଡିଜେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କୁଲଦୀପ ସୂତ୍ରକର ସହରର ୪ଟି ଶବଦାହ କେନ୍ଦ୍ର ପରିଭ୍ରମଣରେ ଯାଇ ଯାଞ୍ଚ କରିଥିଲେ । ଏହି ସମୟରେ ସେକ୍ଟର-୩ ଓ ସେକ୍ଟର-୧୩ ଅଞ୍ଚଳରେ ଶବଦାହ ସ୍ଥଳରେ ହେଉଥିବା ଦୁର୍ନୀତି ବିଷୟରେ ଜଣାପଡ଼ିଥିଲା । ଶ୍ମଶାନ ବାହାରେ ଦଲାଲମାନେ ସକ୍ରିୟ ରହିଥିବା ଜଣାପଡ଼ିଥିଲା । କାର ମଧ୍ୟରୁ କରୋନା ଶବକୁ କେବଳ ବାହାର କରିଦେବା ପାଇଁ ଦଲାଲମାନେ ୧୫ ହଜାର ଲୁଟି ନେଉଥିବା ଖୁଲାସା ହୋଇଥିଲା । ତେବେ ଏନେଇ କୁଲଦୀପ ମ୍ୟୁନିସିପାଲ କର୍ପୋରେସନ କମିଶନର ତଥା ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ନିକଟକୁ ଚିଠି ଲେଖିବା ସହ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.