fbpx

ବିଳମ୍ବିତ ରାତିରେ ଭୁଶୁଡ଼ି ୪ ମହଲା କୋଠା : ୧୯ ମୃତ, ୨୦ରୁ ଅଧିକ ଚାପି ହୋଇ ରହିଥିବା ଆଶଙ୍କା

ମୁମ୍ବାଇ : ବିଳମ୍ବିତ ରାତ୍ରିରେ ମୁମ୍ବାଇର କୁର୍ଲା ନାଏକ ନଗରରେ ଥିବା ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଭୁଶୁଡ଼ି ପଡ଼ିଥିବା କୋଠାତଳେ ୨୦ରୁ ୨୫ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ତେବେ ଗୁରୁତରଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ସୂଚନା ମିଳିଛି ।

ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ଆଦିତ୍ୟ ଠାକରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି, ଏହି କୋଠାଟି ଦୁର୍ବଳ ହୋଇପଡ଼ିଥିବାବେଳେ ସେଠାରେ ରହୁଥିବା ଲୋକମାନଙ୍କୁ ଅନ୍ୟତ୍ର ଚାଲିଯିବାକୁ ନୋଟିସ ଜାରି କରାଯାଇଥିଲା । ତେବେ ସେମାନେ ଘର ଖାଲି ନକରି ସେହି ଭଙ୍ଗା ବିଲ୍ଡିଂରେ ରହିଆସୁଥିଲେ । ବିଲ୍ଡିଂ ତଳେ ଫସି ରହିଥିବାଲୋକଙ୍କୁ ଉଦ୍ଧାର କରିବା ଆମର ପ୍ରାଥମିକତା ହେବ ବୋଲି ଶ୍ରୀ ଠାକରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଜାତୀୟ ରାଜଧାନୀ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ଏକ ୩ ମହଲା କୋଠା ଭୁଶୁଡ଼ି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ ।

Get real time updates directly on you device, subscribe now.