fbpx

ବକ୍ସର୍ ଟ୍ରେନ୍ ଦୁର୍ଘଟଣା ପଛରେ ରହିଛି କି ଷଡ଼ଯନ୍ତ୍ର? ଅନେକ ସ୍ଥାନରେ ଦେଖିବାକୁ ମିଳିଛି ଭଙ୍ଗା ଟ୍ରାକ୍

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପରି ବକ୍ସର୍ ଟ୍ରେନ୍ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ରଚାଯାଇଥିବା କଥା କୁହାଯାଉଛି । ଦୁର୍ଘଟଣା ପରେ ଅନୁସନ୍ଧାନ ବେଳେ ଅନେକ ସ୍ଥାନରେ ରେଳ ଟ୍ରାକ୍ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏହା ପରେ ଟ୍ରାକରେ ଛେଡ଼ଛାଡ଼ କରାଯାଇଥିବା ସନ୍ଦେହ ପ୍ରକଟ ସହ ଏହାକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ରେଲୱେ । ପ୍ରାରମ୍ଭିକ ଅନୁସନ୍ଧାନରେ ଯାହା ସାମ୍ନାକୁ ଆସିଛି, ଅନେକ ସ୍ଥାନରେ ରେଳ ଟ୍ରାକ୍ ଭାଙ୍ଗିଥିବାର ଦେଖିବାକୁ ମିଳିଛି ।

ଦୁର୍ଘଟଣା ପୂର୍ବରୁ ଟ୍ରାକଗୁଡିକ ଭାଙ୍ଗିଥିଲା ନା ଦୁର୍ଘଟଣା ପରେ ଟ୍ରାକଗୁଡିକ ଭାଙ୍ଗି ଯାଇଛି , ସେନେଇ ଏବେ ଅନୁସନ୍ଧାନ କରାଯାଉଛି । ବକ୍ସର ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ପୂର୍ବ-କେନ୍ଦ୍ରୀୟ ରେଳବାଇ ଜିଏମ୍ ତରୁଣ ପ୍ରକାଶ କହିଛନ୍ତି ଯେ, ରେଳବାଇ ନିଜ ଟେକନିକରେ ଏହିପରି ଦୁର୍ଘଟଣାର ଅନୁସନ୍ଧାନ କରୁଛି । ଆମେ ପ୍ରଥମେ ଏହି ଘଟଣାର ଅନୁସନ୍ଧାନ କରିବୁ ।

ଜିଏମ ତରୁଣ ପ୍ରକାଶ ଦାବି କରିଛନ୍ତି ଯେ, ଏହି ରେଳ ବିଭାଗରେ କାର୍ଯ୍ୟ ଶୀଘ୍ର ସ୍ୱାଭାବିକ ହେବ । ତିନୋଟି ବଡ କ୍ରେନ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି କ୍ରେନଗୁଡ଼ିକର ସାହାଯ୍ୟରେ ବଗିଗୁଡ଼ିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉଛି । ଯେଉଁ ବଗିଗୁଡ଼ିକରେ ବଡ଼ ଧରଣର କ୍ଷତି ହୋଇଛି ତାହାକୁ ସାଇଡ୍ କରାଯିବ ।

ତେବେ ବିହାରର ବକ୍ସର ଜିଲାର ରଘୁନାଥପୁର ଷ୍ଟେଶନରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି । ଟ୍ରାକରୁ ଟ୍ରେନ ବାହାରିଯିବାରୁ ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଗୁଆହାଟୀର କାମାକ୍ଷା ଷ୍ଟେଶନ ଯାଉଥିବା ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହୋଇଥିଲା। ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିବାବେଳେ ଆହତମାନଙ୍କୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

Get real time updates directly on you device, subscribe now.