fbpx

କଟକର SCBରେ ଆରମ୍ଭ ହେବ କାଡାଭରିକ ପାଠ୍ୟକ୍ରମ: ଡାକ୍ତରୀ ଛାତ୍ରଛାତ୍ରୀ ଶିଖିବେ ଅନେକ ଜଟିଳ ସର୍ଜରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିକିତ୍ସା କ୍ଷେତ୍ରରେ କଟକର ଏସସିବି ମେଡିକାଲ କଲେଜ ଅନେକ ସଫଳତା ହାସଲ କରିଛି । ବହୁ ଗୁରୁତ୍ୱପୂର୍ଣ୍ଣ ରୋଗର ସର୍ଜରୀ କରିବାରେ ଏସସିବିର ଡାକ୍ତରମାନେ ସଫଳ ହୋଇ ରୋଗୀଙ୍କୁ ନୂଆ ଜୀବନ ଦେଇପାରିଛନ୍ତି । ତେବେ ଖୁବଶୀଘ୍ର ଏସସିବିରେ ଆରମ୍ଭ ହେବ କାଡାଭରିକ ପାଠ୍ୟକ୍ରମ । ଡାକ୍ତରୀ ଛାତ୍ରଛାତ୍ରୀ ଶବ ଉପରେ ଏକ୍ସପରିମେଣ୍ଟ କରିବା ସହିତ ଅନେକ ଜଟିଳ ରୋଗଗର ଅସ୍ତ୍ରୋପଚାର ଶିଖି ପାରିବେ ।

ସୂଚନା ମୁତାବକ, ଏସସିବିରେ ଅନେକ ସମୟରେ କିଛି ଅଚିହ୍ନା ଓ ଅପରିଚିତ ଶବ ରହୁଥିବା ବେଳେ ସେହି ଶବଗୁଡ଼ିକର କେହି ଦାବିଦାର ନଥାନ୍ତି । ତେଣୁ ସେହି ମୃତଦେହ ଉପରେ ଡାକ୍ତରୀ ପିଲାମାନେ ଜଟିଳ ଅସ୍ତ୍ରୋପଚାର କରିବେ । ସେଥିପାଇଁ ରାଜ୍ୟରେ ପ୍ରଥମ ସ୍କିଲ ଡେଭଲପମେଣ୍ଟ କାଡାଭରିକ ଲ୍ୟାବ ସ୍ଥାପନ କରିବାକୁ ଅର୍ଥୋପେଡିକ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ଲ୍ୟାବ ପ୍ରତିଷ୍ଠା ହେବା ଫଳରେ ସେଠାରେ ସମସ୍ତେ ତାଲିମ୍ ନେଇ ପାରିବେ । ଫଳରେ ମେଡିକାଲ କର୍ମଚାରୀମାନେ ଜୀବନ ସହଯୋଗ ବ୍ୟବସ୍ଥା କ୍ଷେତ୍ରରେ ଅଭିଜ୍ଞତା ହାସଲ କରିପାରିବେ । ଏହା ଶଲ୍ୟ ଚିକିତ୍ସା କ୍ଷେତ୍ରକୁ ଆଗକୁ ନେବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, ପୂର୍ବ ଭାରତର ପ୍ରଥମ ଡାକ୍ତରଖାନା ଭାବେ ଏସସିବିରେ ଫୁସଫୁସ ଅସ୍ତ୍ରୋପଚାର ନେଇ ଗତବର୍ଷ ପ୍ରସ୍ତାବ ଦିଆଯାଇଥିଲା । ପୂର୍ବ ଭାରତରେ କୌଣସି ସରକାରୀ ଡାକ୍ତରଖାନାରେ ଫୁସଫୁସ ସଂକ୍ରମିତ ରୋଗୀଙ୍କ ପାଇଁ ଏନେଇ ଅସ୍ତ୍ରୋପଚାର ସୁବିଧା ନଥିଲା । ତେଣୁ ରାଜ୍ୟ ସରକାର ଯକ୍ଷ୍ମା ଓ ଛାତି ରୋଗ ବିଭାଗରେ ନୂତନ ଥେରାପି ପାଠ୍ୟକ୍ରମ ଆରମ୍ଭ କରିଥିଲେ । ସେହିପରି ଗତବର୍ଷ ଏସସିବିରେ ଅନଲାଇନ୍ ଓପିଡି ସେବା ଆରମ୍ଭ କରାଯାଇଥିଲା ଏଥିସହିତ ପ୍ରତ୍ୟେକ ୱାର୍ଡରୁ ରକ୍ତ ନମୂନା ସଂଗ୍ରହ ପାଇଁ ଆଟେଣ୍ଡାଣ୍ଟ ପାସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ।

Get real time updates directly on you device, subscribe now.