fbpx

ପାଖରେ ଭୋଟର କାର୍ଡ ନ ଥିଲେ ବି ଦେଇପାରିବେ ଭୋଟ: ଜାଣନ୍ତୁ, ଏଥିପାଇଁ କ’ଣ ବିକଳ୍ପ ବ୍ୟବସ୍ଥା ରହିଛି

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜୁନ ୪ରେ ଭୋଟ ଗଣତି ହେବ। ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା, ଯଦି ଆପଣଙ୍କ ପାଖରେ ଭୋଟର କାର୍ଡ ନଥିବ ତାହେଲେ ଆପଣ ଭୋଟ ଦେଇପାରିବେ କି? ଏଥିପାଇଁ କ’ଣ ବିକଳ୍ପ ବ୍ୟବସ୍ଥା ରହିଛି?

ତେବେ ଯଦି ଭୋଟର କାର୍ଡ ନ ଥାଏ ତେବେ ମଧ୍ୟ ଜଣେ ଭୋଟର ମତଦାନ କରିପାରିବେ। ଏଥିଲାଗି ତାଙ୍କ ନାମ ଉକ୍ତ ପୁଲିଂ ବୁଥରେ ରହିଥିବା ଆବଶ୍ୟକ। ଏହାଛଡ଼ା ଜଣେ ଭୋଟରଙ୍କୁ କିଛି ପରିଚୟପତ୍ର ମଧ୍ୟରୁ କୌଣସି ଗୋଟିଏକୁ ପୁଲିଂ ଅଧିକାରୀଙ୍କୁ ଦେଖାଇବାକୁ ପଡ଼ିବ। ଆଧାର କାର୍ଡ, ମନରେଗା ଜବ୍‌ କାର୍ଡ, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ ଜାରି କରାଯାଇଥିବା ଫଟୋ ଥିବା ପାସବୁକ୍‌, ଶ୍ରମ ମନ୍ତ୍ରଣାଳୟ ଜାରି କରିଥିବା ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ, ଏନ୍‌ପିଆର୍‌ ଅଧୀନରେ ଆର୍‌ଜିଆଇ ଜାରି କରିଥିବା ସ୍ମାର୍ଟ କାର୍ଡ, ଭାରତୀୟ ପାସପୋର୍ଟ, ଫଟୋ ସହ ଥିବା ପେନସନ୍‌ ଡକ୍ୟୁମେଣ୍ଟ, ଫଟୋ ଥିବା ଯେକୌଣସି ସରକାରୀ ବିଭାଗ ପକ୍ଷରୁ ଜାରି ପରିଚୟପତ୍ର, ୟୁଡିଆଇଡି କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏକୁ ଦେଖାଇ ମତଦାନ କରିହେବ। ତେଣୁ ଏନେଇ ଦ୍ୱନ୍ଦ୍ୱରେ ନ ରହି ଆପଣ ଆପଣଙ୍କ ମୂଲ୍ୟବାନ ମତଦାନ ନିହାତି କରନ୍ତୁ।

ଉଲ୍ଲେଖ ଥାଉକି, ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଆଜି ନିର୍ବାଚନ କମିଶନ ଏହି ତାରିଖ ଘୋଷଣା କରିଛନ୍ତି। ରାଜ୍ୟରେ ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ। ଆଜିଠୁ ସମଗ୍ର ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.