ମୁହଁ ଖୋଲିଲେ କ୍ୟାପଟେନ୍; ଗଣମାଧ୍ୟମ ଚ୍ୟାନେଲ ନାମରେ ମାନହାନି ମୋକଦ୍ଦମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ନେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁହଁ ଖୋଲିଛନ୍ତି। ହତ୍ୟାକାଣ୍ଡର ୨୨ ଦିନ ପରେ ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରେସ୍‌ ବିବୃତ୍ତି ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ମମିତା ମେହରେଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ମୁଁ ଜଣେ ବାପା ଓ ମମିତାଙ୍କ ପରିବାର କିଭଳି ଦୁଃଖ ଓ ଯନ୍ତ୍ରଣାରେ ଅଛନ୍ତି, ତାହା ବୁଝିପାରୁଛି। ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଆଇନ୍‌ ଅନୁଯାୟୀ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ। ରାଜନୀତିରେ ଯୋଗଦେବା ପୂର୍ବରୁ ମୁଁ ଏହି ଦେଶର ସଶସ୍ତ୍ର ବାହିନୀରେ କାର୍ୟ୍ୟ କରିଥିଲି। ମୁଁ ବାୟୁସେନାରେ ଥିଲି। ବାୟୁସେନାରେ ମୁଁ ଗୋଟିଏ କଥା ଶିଖିଛି। ନିଜକୁ ପଛେ ବଳି ଦେଇଦେବ ହେଲେ ଜଣେ ସାଧାରଣ ନାଗରିକକୁ ଆହତ ହେବାକୁ ଦେବନାହିଁ। ଯେତେବେ‌ଳେ ମୁଁ ରାଜନୀତିରେ ଯୋଗ ଦେଲି, ମୁଁ ମୋର ବାୟୁସେନା ଦିନର ଆଦର୍ଶକୁ ମୋ ସହିତ ଆଣିଥିଲି। ମୁଁ ପଛେ କ୍ଷତିଗ୍ରସ୍ତ ହେବି, କିନ୍ତୁ ଜଣେ ହେଲେ ବ୍ୟକ୍ତିଙ୍କୁ ଦୁଃଖ ଭୋଗ କରିବାକୁ ଦେବି ନାହିଁ। ମୁଁ ସାଧାରଣ ଜୀବନରେ ପ୍ରବେଶ କରିବା ଦିନଠାରୁ, ମୋ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ଓ କଳାହାଣ୍ଡିର ବିକାଶ ଉପରେ ଧ୍ୟାନ ଦେଇଛି।

ମୁଁ ବ୍ୟଥିତ ହୋଇଗଲି ଯେତେବେଳେ ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ମୋତେ ବଦନାମ କରିବା ସହିତ ମିଥ୍ୟା ଆଧାରରେ ଚରିତ୍ର ସଂହାର ଅଭିଯାନ ଆରମ୍ଭ କଲେ। ଏହା ମୋ ପରିବାରକୁ ମଧ୍ୟ ଆଘାତ ଦେଇଛି। ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ମୋ ପରିବାର ତିନିଟି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ଅର୍ଗସ ଟିଭି, ଓଟିଭି ଓ ଓଡ଼ିଶା ରିପୋର୍ଟର ସେମାନଙ୍କ ସଂକୀର୍ଣ୍ଣ ବ୍ୟକ୍ତିଗତ ରାଜନୈତିକ ଫାଇଦା ପାଇଁ ମିଥ୍ୟା ମନଗଢ଼ା ଓ ଭିତ୍ତିହୀନ ଅଭିଯୋଗ ଆଣି ମୋର ଚରିତ୍ର ସଂହାର ଓ ମାନସିକ ନିର୍ୟାତନା ଦେଇଥିବା ହେତୁ, ଉପଯୁକ୍ତ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛି। ଏହି ଗଣମାଧ୍ୟମ ମୋ ପ୍ରତି ସେମାନଙ୍କର ବଦନାମ ଅଭିଯାନ ଚଳାଇବା ବ୍ୟତୀତ ମୋର ନିରବତାକୁ ପ୍ରଶ୍ନ କରୁଛନ୍ତି। ମୁଁ ସର୍ବଦା ବିଶ୍ୱାସ କରେ ଯେ, ସମ୍ବେଦନଶୀଳ ଜଘନ୍ୟ ଅପରାଧରେ, ଆଇନ କାର୍ୟ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ଏକ ମୁକ୍ତ ଏବଂ ନିରପେକ୍ଷ ଢଙ୍ଗରେ କାର୍ୟ୍ୟ କରିବା ଉଚିତ ଯାହାଦ୍ୱାରା ଆଇନ ଅନୁଯାୟୀ ଅଭିଯୁକ୍ତର ବିଚାର ହୋଇପାରିବ। ତେଣୁ ମୁଁ ସବୁବେଳେ ଏଭଳି ଜଘନ୍ୟ ଅପରାଧରେ ମନ୍ତବ୍ୟ ଦେବା ଠାରୁ ଦୂରେଇ ରହିଥିଲି। କିନ୍ତୁ ଗଣମାଧ୍ୟମର ଏଭଳି ଅଭିଯାନ ମୋ ପରିବାରକୁ ପ୍ରଭାବିତ କରୁଥିବାରୁ ମୁଁ ଏହି ମନ୍ତବ୍ୟ ଦେବାର ଆବଶ୍ୟକତା ଅନୁଭବ କଲି।