ଖାଲକୁ ଖସିଲା କାର୍‌, ବର୍ତ୍ତିଗଲେ ବିଜେପି ନେତ୍ରୀ ଓ ତାଙ୍କ ମା’

ଭବାନୀପାଟଣା, (ଭାସ୍କର ନ୍ୟୁଜ୍‌): ବିଜେପି ନେତ୍ରୀ ତଥା ଆଇନଜୀବୀ ବିନିତା ଦାଶଙ୍କ ସାମାନ୍ୟ ଭୁଲ୍‌ ଯୋଗୁଁ ତାଙ୍କ କାର ମା’ ମାଣିକେଶ୍ୱରୀଙ୍କ ମନ୍ଦିର ନିକଟରେ ଏକ ଦୋକାନ ଘର ନିର୍ମାଣ ପାଇଁ ଖୋଳାଯାଇଥିବା ଖାଲ ଭିତରକୁ ଖସିପଡିବା ଫଳରେ ଗାଡ଼ିରେ ବସିଥିବା ତାଙ୍କ ମା’ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଘଟଣାରୁ ପ୍ରକାଶ ଯେ,  ବିଜେପି ନେତ୍ରୀ ବିନିତା ଦାଶ ନିଜ ମା’ଙ୍କ ସହ କାର ନଂ (ଡି.ଏଲ୍‌୬ସି.ଏଲ୍‌-୭୭୨୦) ରେ ଘରୁ ମାଣିକେଶ୍ୱରୀ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ମନ୍ଦିର ନିକଟରେ ସେ ଗାଡିକୁ ଏକ ଦୋକାନ ଘର ନିର୍ମାଣ ପାଇଁ ଖୋଳାଯାଇ ଥିବା ଖାଲ ପାଖରେ ରଖିଥିଲେ । ତାଙ୍କ ମା’ ଙ୍କୁ ଗାଡି ରେ ବସାଇ କୌଣସି କାମରେ ବାହରକୁ ଯାଇଥିଲେ । ଦୁର୍ଭାଗ୍ୟ ବଶତଃ ଉକ୍ତ କାରଟି ହଠାତ୍‌ ଉକ୍ତ ଖାଲ ଭିତକୁ ଗଡି ଯାଇଥିଲା । ତୁରନ୍ତ ସ୍ଥାନୀୟ ଲୋକମାନେ ଗାଡି ଭିତରୁ ବିନିତାଙ୍କ ମାଆଙ୍କୁ ସୁରକ୍ଷିତ ଅବସ୍ଥାରେ ବାହାର କରିଥିଲେ । ଏଭଳି ଘଟଣା ଯୋଗୁଁ ସେଠାରେ ଲୋକ ଗହଳି ହେବା ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କ୍ରେନ୍‌ ଦ୍ୱାରା ଖାଲ ଭିଭରୁ ଗାଡି କାଢି ଥିଲେ । ସହରର ମାଣିକେଶ୍ୱରୀଙ୍କ ମନ୍ଦିର ନିକଟରେ ସବୁବେଳେ ଭକ୍ତଙ୍କ ଭିଡ ରହୁଥିବା ଓ ଉକ୍ତ ନିର୍ମାଣାଧୀନ ଗୃହଟି ସହରରର ମୁଖ୍ୟ ରାସ୍ତା କଡରେ ରହିଛି । ଦୀର୍ଘଦିନ ଧରି ଘର କାମ ସରୁ ନ ଥିବାରୁ ତାହାର ନିଅଁ ବିପଦଜନକ ଅବସ୍ଥାରେ ରହିଥିବାରୁ ଏଭଳି ଦୁର୍ଘଟଣା ଘଟୁଛି । ଜିଲ୍ଲା ପ୍ରଶାସନ, ଟାଉନପ୍ଲାନିଂ ଓ ପୌର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦୃଢଦାବି ହେଉଛି ।