fbpx

ବାଲେଶ୍ୱର ଓ ଭଦ୍ରକରେ “ୟଶ’ କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍‌, ଆଜି କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତିର ସମୀକ୍ଷା କରିବେ

ବାଲେଶ୍ୱର/ ଭଦ୍ରକ, ୭ା୬ (ଓଡ଼ିଶା ଭାସ୍କର): ନିକଟ ଅତୀତରେ ବାତ୍ୟା “ୟଶ’ ଓଡ଼ିଶାରେ ପ୍ରଭୁତ କ୍ଷତି ଘଟାଇ ଯାଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲା । ତେବେ ଓଡ଼ିଶାରେ ବାତ୍ୟା “ୟଶ’ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଥିବା କେନ୍ଦ୍ରୀୟ ଟିମ୍‌ ସୋମବାର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଆଜି କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଳା ଗସ୍ତ କରିବ କେନ୍ଦ୍ରୀୟ ଟିମ୍‌।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ଶାସନ ସଚିବ ସୁନୀଲ ବର୍ଣ୍ଣୱାଲଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍‌ ରବିବାର ଭୁବନେଶ୍ୱର ପହଞ୍ଚିବା ପରେ ଏଥିରୁ ୪ଜଣିଆ ଟିମ୍‌ ସୋମବାର ବାଲେଶ୍ୱର ଓ ଭଦ୍ରକର ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଟିମ୍‌ ବାଲେଶ୍ୱର ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିବା ପରେ ପ୍ରଥମେ ସର୍କିଟ ହାଉସ୍‌କୁ
ଯାଇଥିଲେ । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଏହି ପ୍ରତିନିଧି ଦଳକୁ ସ୍ୱାଗତ କରିବା ସହ ବାତ୍ୟାଞ୍ଚଳ ପରିଦର୍ଶନ ସମ୍ପର୍କ ରେ ଆଲୋଚନା କରିଥିଲେ । ଏହି ଟିମ୍‌ ସଦର ବ୍ଲକର ସାର୍ଥା, ଚାନ୍ଦିପୁର ବଳରାମଗଡ଼ି, ପରିଖି ପ୍ରଭୃତି ଅଞ୍ଚଳ ବୁଲିବା ପରେ ସୋର ଓ ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇଥିଲେ ।

କେନ୍ଦ୍ରୀୟ ଯୁଗ୍ମ ସଚିବ ଶ୍ରୀ ବର୍ଣ୍ଣୱାଲଙ୍କ ସମେତ କୈଳାସ କୁମାର, ଶିଶିର ପ୍ରଧାନ ଓ ଦିଗମ୍ବର ସ୍ୱାଇଁ ଏହି ଟିମ୍‌ରେ ଆସିଥିଲେ । ଏହି ଟିମ୍‌ ପରିଦର୍ଶନ ବେଳେ ଜିଲ୍ଲାପାଳ ଶ୍ରୀଚକ୍ରବର୍ତ୍ତୀଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ବାଲେଶ୍ୱର ଉପ-ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ବିଭିନ୍ନ ଲାଇନ ଡିାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଟିମ୍‌ର ସଦସ୍ୟମାନେ ଭଦ୍ରକସ୍ଥିତ ଧାମରା ମଧ୍ୟ ଗସ୍ତ କରିଥିଲେ ।

ସେମାନେ ହେଲିକପ୍ଟରରେ ଆସି ଧାମରାସ୍ଥିତ ହ୍ୟାଲ୍ୟିାଡରେ ଓହ୍ଳାଇଥିଲେ । ସେମାନଙ୍କୁ ପ୍ରଥମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସ୍ୱାଗତକରିଥିଲେ। ଏହି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ପ୍ରଥମେ ଧାମରା ବନ୍ଦର ଗେଟ୍‌ ସମ୍ମୁଖରେ ଥିବା ୧୧ କେ.ଭି. ବିଦ୍ୟୁତ ସବ୍‌ଷ୍ଟେସନର ମରାମତି କାର୍ଯ୍ୟ ତଦାରଖ କରିଥିଲେ । ପରେ ଦୋସିଙ୍ଗା ପଞ୍ଚାୟତର ଅମରନଗର, ସାବିତ୍ରୀ ସରାଇ, ଜ୍ୟୋସ୍ନାମୟୀ ନଗର ଗ୍ରାମର ଘରଭଙ୍ଗା ଦେଖିଥିଲେ । ସେଠାରୁ ଜୟଦୁର୍ଗାପାଟଣା କିଆନାଳୀ ସ୍ଳୁଇସ୍‌ ଗେଟ୍‌ର ଅବସ୍ଥା, ଦୋସିଙ୍ଗା ପଞ୍ଚାୟତର ୩୩ କେ.ଭି. ବିଦ୍ୟୁତ ଷ୍ଟ୍ରକ୍‌ଚର, ଜାଗୁଳା ପଞ୍ଚାୟତର ଜାଲିାଇକସାହି ଗ୍ରାମ, ନରସିଂହପୁର ଛକଠାରେ ଆର୍‌.ଡି. ରାସ୍ତାର କ୍ଷୟକ୍ଷତି, ଓରାମାଳ ଗ୍ରାମର କ୍ଷତି, ବଳଭଦ୍ର୍ରସାଦ ଗ୍ରାମର ବିଦ୍ୟୁତ ଓ ଗୃହର କ୍ଷୟକ୍ଷତି ଅନୁଧ୍ୟନ କରିଥିଲେ । ପରେ ଡ. ଦାସଙ୍କ ଅଧ୍ୟକ୍ଷତାରେ ଧାମରା ବନ୍ଦର ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜିଲ୍ଳାର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯାଇଥିଲା । ଏହି ରିପୋର୍ଟରେ ଜନସାଧାରଣଙ୍କ ସମ୍ପତି ୨୬୭ କୋଟି ୨ଲକ୍ଷ ୮୮ହଜାର, ଘରଭଙ୍ଗା କ୍ଷତି ୩ କୋଟି ୨୨ ଲକ୍ଷ ୧୦ ହଜାର ୭ଶହ, ଚାଷ ୧ କୋଟି ୧ ଲକ୍ଷ ୭୦ ହଜାର ୮୮୦ଟଙ୍କା, ମତ୍ସ୍ୟ ୯୫ ଲକ୍ଷ ୫୯ ହଜାର୨୨୬ ଟଙ୍କାର କ୍ଷତି ଘଟିଛି ବୋଲି କୁହାଯାଇଛି । ପରେ ଏହି ପ୍ରତିନିଧି ଦଳ ଧାମରାର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଦେଖିବା ସହ ବାଲିମୁଣ୍ଡା ପଞ୍ଚାୟତର ନନ୍ଦପାଟଣା, ବଡହାବେଳିସାହି, ବିଦେଇପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ଅବସରରେ କେନ୍ଦ୍ରୀୟ ଦଳ କ୍ଷତିଗ୍ରସ୍ତଙ୍କ ସହିତ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ ।

Get real time updates directly on you device, subscribe now.