fbpx

ହୃଦ୍‌ଘାତରେ ଆଖିବୁଜିଲେ ସ୍ୱାମୀ, ଚୈତନ୍ୟଙ୍କ ମୃତ୍ୟୁର ୫ଦିନ ପରେ ପତ୍ନୀ ବଉଳବାଳାଙ୍କ ଜୀବନ ନେଲା କରୋନା

ଧର୍ମଶାଳା (ଓଡ଼ିଶା ଭାସ୍କର) : ସ୍ୱାମୀଙ୍କ ମୃତ୍ୟୁ ହେବାର ୫ ଦିନ ପରେ ସ୍ତ୍ରୀ ଆରପାରିକୁ ଚାଲିଗଲେ । ଧର୍ମଶାଳା ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବଡ଼ବାଲିକୁଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଚୈତନ୍ୟ ଜେନା (୮୬)ଙ୍କ ଗତ ୨୧ତାରିଖରେ ପରଲୋକ ଘଟିଥିଲା ।

ସୂଚନା ମୁତାବିକ, ସେ କିଛିଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ପତ୍ନୀ ବଉଳବାଳା ଜେନା (୮୪) ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ଧର୍ମଶାଳାଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ଚିକିତ୍ସା କରାଯିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡିଥିଲେ । ପରେ ତାଙ୍କୁ ଏନସି କଲେଜସ୍ଥିତ କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ମଙ୍ଗଳବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି । ସେ ଜଣେ ଧର୍ମରାୟଣା ମହିଳା ଥିଲେ । କୋଭିଡ୍‌ କଟକଣା ମଧ୍ୟରେ ଯାଜପୁରରେ ଟାଉନସ୍ଥିତ ବାରୁଣୀଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତେବେ ସ୍ୱାମୀଙ୍କ ମୃତ୍ୟୁର ଅଳ୍ପଦିନ ବ୍ୟବଧାନରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

Get real time updates directly on you device, subscribe now.