ଜାତୀୟ ସଡ଼କ ସୁରକ୍ଷା ମାସ ଉଦଘାଟନ କରି ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବାହାରିବ 2 ହଜାର ଟ୍ରାଫିକ କର୍ମଚାରୀ ପୋଷ୍ଟ

ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ସାଧାରଣ ଲୋକଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର: ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସଡ଼କ ସୁରକ୍ଷା ମାସର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଥିବା ବେଳେ ସଡ଼କ ସୁରକ୍ଷା ସହ ଟ୍ରାଫିକ ନିୟମ ପାଳନ ନେଇ ସଚେତନ କରାଯାଇଛି ।

ତେବେ ଏହି ସଡକ ସୁରକ୍ଷା ମାସର ବାର୍ତ୍ତା ରଖାଯାଇଛି ଯେ, ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ ।  ଓଡ଼ିଶା ଯାତ୍ରୀ ଆପ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଗାଡି ଚଲାଇବା ସହିତ ଟ୍ରାଫିକ ନିୟମ ପାଳନ କରିବା ପାଇଁ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଟ୍ରାଫିକ ସମସ୍ୟା ପାଇଁ ୨ ହଜାର ଟ୍ରାଫିକ କର୍ମଚାରୀ ପୋଷ୍ଟ ବାହାରିବ। ଚଳିତ ବର୍ଷ ୫୦୦ ଟ୍ରାଫିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଡ଼କ ସୁରକ୍ଷା ପାଳନ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଅବସରରେ ଏକ ପଦଯାତ୍ରା ମଧ୍ୟ ଆୟୋଜନ କରାଯାଇଥିଲା । ମାଷ୍ଟରକ୍ୟଣ୍ଟିନ ଛକଠାରୁ ବାହାରି ରାମ ମନ୍ଦିର ଛକ ଯାଏ ଯାଇଥିଲା। ଏଥିରେ ପରିବହନ ବିଭାଗ, ସ୍କୁଲ ଛାତ୍ରଛାତ୍ରୀ, ଡ୍ରାଇଭରଙ୍କ ଠାରୁ ନେଇ କଳାକାର ପର୍ଯ୍ୟନ୍ତ ସମସ୍ତେ ଯୋଗ ଦେଇଥିଲେ ।