fbpx

ଶରଧାବାଲିରେ ୩ ରଥ, ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ(ଓଡ଼ିଶା ଭାସ୍କର): ଶରଧାବାଲିରେ ଲାଗିଲା ୩ ଠାକୁରଙ୍କ ୩ ରଥ । ତାଳଧ୍ୱଜ ଓ ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ନନ୍ଦିଘୋଷ ରଥ । ବିନା ଭକ୍ତରେ ୩ ରଥ ଟାଣିଆଣିଲେ ସେବାୟତ । ନବଦିନାତ୍ମକ ଯାତ୍ରାରେ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଆସିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ରଥଟଣା ହୋଇ ସୁରୁଖୁରୁରେ ଶେଷ ହୋଇଛି । କୋଭିଡ କଟକଣା ଯୋଗୁଁ ଦିବ୍ୟସେବାରୁ ଭକ୍ତମାନେ ବଞ୍ଚିତ ହୋଇଛନ୍ତି ।

ଅନ୍ୟପଟେ ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେବାୟତ, ଜନସାଧାରଣ, ପ୍ରଶାସନ ଓ ପୋଲିସକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲ ପ୍ରଶାସନକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । ରଥଯାତ୍ରାରେ କୋଭିଡ ନିୟମ ପାଳନ କରିଥିବାରୁ ପୁରୀବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ନବୀନ । ସେ କହିଛନ୍ତି ଯେ, ‘ପୁରୀବାସୀ ଯେଭଳି ଶୃଙ୍ଖଳା ଦେଖାଇଛନ୍ତି ତାହା ପ୍ରେରଣାଦାୟକ ।’

ସେହିପରି ୩ ରଥ ଶରଧାବାଲିରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ କୃତଜ୍ଞତା ଜଣାହୋଇଛି । ପୁରୀ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ଓ ଡିଜିପି । କଟକଣା ମାନି ସମସ୍ତେ ଘର ଭିତରେ ରହିଥିବାରୁ ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ଶୃଙ୍ଖଳା ଭିତରେ ସବୁ ଶେଷ କରିଥିବାରୁ ସେବାୟତ ଓ ପୋଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ।

Get real time updates directly on you device, subscribe now.