fbpx

ଶରତରେ ରହୁଛି ଗ୍ରୀଷ୍ମର ତାତି: ୩୫ଡିଗ୍ରୀ ଉପରେ ସହରର ତାପମାତ୍ରା, ଆହୁରି ୧୦ଦିନ କଲବଲ କରିବ ଗରମ

ଭୁବନେଶ୍ୱର(ଭାସ୍କର ନ୍ୟୁଜ): ମୌସୁମୀ ଅପସାରଣ ସମୟରେ ପାରଦ ଉପରମୁହାଁ ହୋଇଛି । ଶରତରେ ଗ୍ରୀଷ୍ମର ତାତି ଅନୁଭୂତ ହେଉଛି । ବର୍ଷା କମିଯାଇଥିବାରୁ ଆଶ୍ୱିନ ମାସରେ ମଧ୍ୟ ଟାଇଁ ଟାଇଁ ଖରା ସହ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ଶରତ ଋତୁରେ ଚଳିତବର୍ଷର ରେକର୍ଡ ଭାଙ୍ଗିଛି ଗରମ । ମଙ୍ଗଳବାର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୪.୪ ଡିଗ୍ରୀ ରହିଥିବା ଆକଳନ କରାଯାଇଛି । ସୋମବାର ମଧ୍ୟ ସମାନ ତାପମାତ୍ରା ରହିଥିଲା । ସ୍ୱାଭାବିକଠାରୁ ୨ ଡିଗ୍ରୀ ତାପମାତ୍ରା ଅଧିକ ରହିଥିବା ରେକର୍ଡ କରାଯାଇଛି । ମଙ୍ଗଳବାର ସକାଳ ୮ଟା ସୁଦ୍ଧା ରାଜଧାନୀ ବାୟୁମଣ୍ଡଳର ଆର୍ଦ୍ରତା ୮୭ ପ୍ରତିଶତ ରହିଥିଲା ।

ପାଣିପାଗ ବିଭାଗ ଅନୁମାନ କରିଛି ଯେ ଏଭଳି ସ୍ଥିତି ଆସନ୍ତା ୧୦ଦିନ ପର୍ଯ୍ୟନ୍ତ ଲାଗି ରହିବ । କେବଳ ଭୁବନେଶ୍ୱର ନୁହେଁ, ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ଏପରିକି ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି । ଝାରସୁଗୁଡ଼ାର ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଚାନ୍ଦବାଲିରେ ୩୫.୯ ଓ ପାରାଦୀପରେ ୩୫.୮ ରେକର୍ଡ ହୋଇଛି । ସେହିପରି ପୁରୀ, ଗୋପାଳପୁର, ବାରିପଦା, ସମ୍ବଲପୁର, ହୀରାକୁଦ, ତାଳଚେର, ଟିଟିଲାଗଡ଼, ମାଲକାନଗିରି, ସୋନପୁର, ବୌଦ୍ଧ, ବରଗଡ଼ ଓ ଜଗତସିଂହପୁରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ସୂଚନା ମିଳିଛି ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଅକ୍ଟୋବରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବାପରେ ଆକାଶ ନିର୍ମଳ ରହିଥାଏ । ତେଣୁ ଖରା ଟାଣ ହୋଇଥାଏ ଓ ତାପମାତ୍ରା ଅଧିକ ରହିଥାଏ । ଏହାଏକ ସ୍ୱାଭାବିକ ପ୍ରକ୍ରିୟା । ତେବେ ରାତିରେ ତାପମାତ୍ରା ନ କମିବା ଓ ଭୀଷଣ ଗୁଳୁଗୁଳି ହେବା ପାଣିପାଗର ବ୍ୟତିକ୍ରମ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ୧୦ରୁ ୧୪ ତାରିଖ ଭିତରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସରି ଯିବା କଥା ।

ଏବେ କେବଳ ପଶ୍ଚିମ ଓଡ଼ିଶାରୁ ମୌସୁମୀ ଅପସାରଣ ହୋଇଥିବା ଜଣାପଡ଼ିଛି । ରାଜ୍ୟକୁ ବର୍ତ୍ତମାନ ପଶ୍ଚିମା ଶୁଖିଲା ପବନ ପ୍ରବାହିତ ହେଉଛି । ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ ବଙ୍ଗୋପସାଗରୀୟ ବାୟୁ ପ୍ରବାହ ପାଇଁ ଆର୍ଦ୍ରତା ବଢୁଛି । ଉତ୍ତର ଦିଗରୁ ପବନ ଆସୁନଥିବାରୁ ଗରମ ଅନୁଭୂତ ହେଉଛି ବୋଲି ସେ କହିଛନ୍ତି । ଏଭଳି ସ୍ଥିତି ଆସନ୍ତା ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.