fbpx

ବଦଳୁଛି ପାଣିପାଗ, ସନ୍ତୁଳନ ହରାଉଛି ପରିବେଶ: ବାହାରୁଛି ନୂଆ ନୂଆ ରୋଗ, ଶକ୍ତିହୀନ ହେଉଛି ମଣିଷ

Advertisement

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ବଦଳୁଥିବା ପାଣିପାଗ ସମସ୍ତଙ୍କ ପାଇଁ ଏକରକମ କାଳ ହୋଇଛି ବୋଲି କୁହାଯାଇପାରେ । ବିପୁଳ ପରିମାଣର ବୃକ୍ଷ ଚ୍ଛେଦନ, କଂକ୍ରିଟ୍‌ ଜଙ୍ଗଲ ଜଳବାୟୁ ପରିବର୍ତ୍ତନର ଅନ୍ୟତମ କାରଣ ବୋଲି କୁହାଯାଉଛି । ଜଳବାୟୁ ପରିବର୍ତ୍ତନ ଫଳରେ ବିଶ୍ୱବାସୀ ବିଭିନ୍ନ ପ୍ରକାରର ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବାବେଳେ ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡ଼ିନି । ପାଣିପାଗର ମିଜାଜ୍‌ ବଦଳୁଥିବାରୁ ନୂଆ ନୂଆ ରୋଗ ଉତ୍ପନ୍ନ ହେବାରେ ଲାଗିଛି ।

ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଏବଂ ଅସହ୍ୟ ଗୁଳୁଗୁଳି ପାଇଁ ବଢୁଛି ଶରୀରର ତାପମାତ୍ରା । ଶକ୍ତିହୀନ ହେଉଛି ମଣିଷ । ଅଳସୁଆମୀ ବଢ଼ି ବଢ଼ି ଚାଲିଛି । ପ୍ରଚଣ୍ଡ ଗ୍ରୀଷ୍ମ୍ରବାହ ଯୋଗୁଁ ଅଂଶୁଘାତ ଓ ହାଇପରଥର୍ମିଆ ୨ଟି ଜୀବନ ନେଇଥିବା ଅଭିଯୋଗ ହୋଇଛି । ଏପରି ରୋଗର ଚିକିତ୍ସା ପାଇଁ ପ୍ରତିକାର କରିବା ନିମନ୍ତେ ସ୍ୱାସ୍ଥ୍ୟବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ଏପରିକି ପାଣି ।ଗ ବିଭାଗ ଏନେଇ ମଧ୍ୟ ପୂର୍ବରୁ ସତର୍କ ସୂଚନା ଜାରି କରିଛି । ତେବେ ବିଶେଷଜ୍ଞମାନେ ମତ ରଖୁଛନ୍ତି ହାଇପରଥର୍ମିଆ ହେଉଛି ଏକ ସାଂଘାତିକ ରୋଗ । ଏହା ସିଧାସଳଖ ମସ୍ତିଷ୍କକୁ ଆକ୍ରାନ୍ତ କରୁଛି । ଫଳରେ ସ୍ନାୟୁ ଦୁର୍ବଳ ହୋଇଯାଉଛି । ଖରା ଯୋଗୁଁ ମଣିଷ ଦେହରୁ ଲବଣ ପଦାର୍ଥ କମିଯାଉଛି । ପ୍ରଭାବରେ ଚର୍ମଜନିତ ସମସ୍ୟା ସହ ହିଟ୍‌ଷ୍ଟ୍ରୋକ୍‌ ହେଉଛି । ଏହାର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଯଦିଓ କରାଯାଇଛି ତେବେ ରାଜ୍ୟବାସୀ ଏନେଇ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଚିକିତ୍ସା ଅପେକ୍ଷା ଖରାକୁ ଆଦୌ ନଯିବା ଅଧିକ ଉତ୍ତମ ।

ପାଣିପାଗ ବଦଳୁଥିବାରୁ ଚଳିତ ଗ୍ରୀଷ୍ମଋତୁରେ ଅଧିକ ତାତି ଅନୁଭୂତ ହେଉଛି । ଶରୀରରୁ ପ୍ରବଳ ଝାଳ ବାହାରୁଛି । ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାର ଏହା ଶରୀର ଉପରେ ଅଧିକ ପ୍ରଭାବ ପକାଉଛି । କିଛି ଜିଲ୍ଲାରେ ଆଦୌ ତାତି ନଥିଲେ ବି ଲୋକେ ଅସହ୍ୟ ଗରମ ଅନୁଭବ କରୁଛନ୍ତି । ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଇପରଥର୍ମିଆ ରୋଗ ଅଧିକ ପରିମାଣର ହେଉଥିବା ପରିଲକ୍ଷିତହେଉଛି । ବିଶେଷ କରି ବୟସ୍କ ଏବଂ ଯେଉଁମାନେ ଅଧିକ ଔଷଧ ସେବନ କରୁଛନ୍ତି ସେମାନଙ୍କୁ ଏହା ଆକ୍ରାନ୍ତ କରୁଛି । ତେଣୁ ଏହି ବର୍ଗର ଲୋକମାନେ ଖରାରେ ପଦାକୁ ନ ବାହାରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏହାସହ ପ୍ରଚୁର ପରିମାଣର ପାଣି ଏବଂ ଓଆର୍‌ଏସ୍‌ ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଅସନ୍ତୁଳିତ ପାଣିାଗ ପାଇଁ ଏବେ ଅନେକ ପ୍ରକାରର ରୋଗରେ ପୀଡ଼ିତ ହେଉଛନ୍ତି ରାଜ୍ୟବାସୀ । ହେଲେ ହିଟ୍‌ଷ୍ଟ୍ରୋକ୍‌ ଓ ହାଇପରଥର୍ମିଆ ବର୍ତ୍ତମାନ ସମୟରେ ବଡ଼ ରୋଗ ଭାବେ ଉଭା ହୋଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇ ଏଥିନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.