ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପରେ ଗୋଟିଏ ଅଭିଯୋଗ ସହିତ ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ମାମଲା । ପୋଲିସ ସାମ୍ନାକୁ ମୃତ୍ୟୁର ଏକାଧିକ ଦିଗ ଆସୁଥିଲେ ହେଁ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାରେ ସକ୍ଷମ ହେଉନି ପୋଲିସ୍ । ସୋମବାର ଗଜପତିରୁ ଆସିଥିବା ୬ ଜଣିଆ ସ୍ୱତନ୍ତ୍ର ପୋଲିସ୍ ଟିମ୍ କପ୍ତିପଦାର ଗୌଡାଙ୍ଗ ଗାଁରେ ପହଞ୍ଚିଥିଲା । ଅପରାହ୍ନରେ ଗାଁରେ ପହଞ୍ଚିବା ସହିତ ବିଦ୍ୟାଭାରତୀଙ୍କୁ ଜେରା କରିଥିଲା । ପୋଲିସ ପ୍ରାୟ ଅଢ଼େଇ ଘଣ୍ଟା ଧରି ରୁଦ୍ଧଦ୍ୱାରା ଜେରା କରିଥିଲା ।
ପ୍ରଥମେ ସୌମ୍ୟଙ୍କ ବାସଭବନରୁ ଜେରା କରି ଫେରିବା ପରେ ଅପରାହ୍ନ ୪.୩୦ରେ ଗୌଡାଙ୍ଗରେ ପହଞ୍ଚି ବିଦ୍ୟାଭାରତୀଙ୍କୁ ଜେରା କରିଥିଲା । ରୁଦ୍ଧଦ୍ୱାରରେ ଚାଲିଥିବା ଏହି ମାରାଥନ ଜେରା ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା । ବିଦ୍ୟାଭାରତୀଙ୍କୁ ଆଜି ଜେରା କରାଯାଇଥିବା ବେଳେ ଆସନ୍ତାକାଲି ଆଉଥରେ ଜେରା କରାଯିବ ବୋଲି ଆଇଆଇସି ବିବେକାନନ୍ଦ ସ୍ୱାଇଁ କହିଛନ୍ତି । ଏହା ସହିତ ବିଦ୍ୟାଭାରତଙ୍କ ପରିବାର ଲୋକଙ୍କ ମଧ୍ୟ ତଦନ୍ତ ପରିସରକୁ ଅଣାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଆସନ୍ତା ୩ ଦିନ ଯାଏଁ ପୋଲିସର ପଚରା ଉଚୁରା ଜାରି ରହିବ ବୋଲି ଆଇଆଇସି କହିଛନ୍ତି ।