କଟକରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଆ ଅସ୍ମିତା ସହ ଓଡ଼ିଶାର ବିକାଶ ଆଗେଇ ଚାଲିଛି

କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ । ଦେଶର ଅଖଣ୍ଡତା ବଜାୟ ସହ ସୁଶାସନ ଯୋଗାଇବା ପରମ ଲକ୍ଷ୍ୟ ।

ଭୁବନେଶ୍ବର: ୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଭୁବନେଶ୍ବର ଗାନ୍ଧି ମାର୍ଗରେ ରାଜ୍ୟପାଳ ହରିବାବୁ ପତାକା ଉତ୍ତୋଳନ କରିଥିବା ବେଳେ କଟକ ବିଡାନାସିରେ ପତ୍ତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ପୁରୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । ପତାକା ଉତ୍ତୋଳନ ପାଇଁ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ-  କଟକ ବିଡାନାସିରେ ପତାକା ଉତ୍ତୋଳନ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପବିତ୍ର ଦିନରେ ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଶପଥ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ଆଜି ଗୌରବମୟ ଦିବସ ପାଳନ କରାଯାଉଛି, ତେଣୁ ଉକ୍ତ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛୁ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶର ଅଖଣ୍ଡତା ବଜାୟ ସହ ସୁଶାସନ ଯୋଗାଇବା ପରମ ଲକ୍ଷ୍ୟ । ଦେଶର ଗଣତନ୍ତ୍ର ବଜାୟ ରଖିବାରେ କୋଟି କୋଟି ଜନତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ନିରବଚ୍ଛିନ୍ନ ଭାବେ ଗଣତନ୍ତ୍ରକୁ ବଜାୟ ସହ ଦେଶର ଅଗ୍ରଗତି ହେଉଛି ।

ମୌଳିକ ଅଧିକାର ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ-  ଖୁବ୍‌ଶୀଘ୍ର ଆମ ଦେଶ ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବାକୁ ଯାଉଛି । ୧୪୦ କୋଟି ଭାରତୀୟଙ୍କ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିଛି । ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ଅଧିକାର ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହେବାକୁ ଯାଉଛି । ଗାଁରୁ ବିକାଶ ଆରମ୍ଭ ହେଉଛି, ସରକାର ଏନେଇ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି । ଓଡ଼ିଆ ଅସ୍ମିତା ସହ ଓଡ଼ିଶାର ବିକାଶ ଆଗେଇ ଚାଲିଛି କହିଲେ ମୁଖ୍ୟମନ୍ତ୍ରୀ ।