fbpx

ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ଚାରିଟି ବୈଷୟିକ କମିଟି ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମ୍ପର୍କୀୟ ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ତ ଦୁର୍ବଳ ନଦୀବନ୍ଧ ମାନଙ୍କର ତୁରନ୍ତ ସୁଦୃଢ଼ୀ କରଣ କରାଇବା ସହ ବନ୍ୟା ସମୟରେ ସଜାଗ ରହି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏତଦବ୍ୟତୀତ ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ଅଧୀନରେ ଚାଲୁ ରହିଥିବା କାର୍ଯ୍ୟ ସମ୍ପର୍କରେ ସବିଶେଷ ସମୀକ୍ଷା କରି ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ଚାରିଗୋଟି ପ୍ରମୁଖ ପ୍ରତିଶ୍ରୁତି ଯଥା; (୧) ଉତ୍ତମ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା ପାଇଁ ନୀତି ନିର୍ଦ୍ଧାରଣ, (୨) ମହାନଦୀ ରିଜୁଭେନେସନ ଓ ରୁଲ କର୍ଭର ସମୀକ୍ଷା, (୩) ଜଳ ସଂରକ୍ଷଣ ନୀତି ପ୍ରସ୍ତୁତ କରିବା, (୪) ଅନ୍ତଃ ନଦୀ ଜଳ ପଥର ଉନ୍ନତି କରଣ ଓ ସମୟାନୁକ୍ରମିକ ଜଳଭଣ୍ଡାରରୁ ପଟୁ ଉଦ୍ଧାର ଓ ଖନନ ଆଦି କାର୍ଯ୍ୟ ପାଇଁ ବୈଷୟିକ କମିଟି ଗଠନ କରାଯାଇ ୧୦୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.