fbpx

ଗୁରୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ । ଆଜି ଗୁରୁଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ସମସ୍ତ ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

‘ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ମଡେଲ ସ୍କୁଲ ହେବ । ଏହାର ନାମ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ରହିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏଭଳି ୫ ଶହ ସ୍କୁଲ ନିର୍ମାଣ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାୟତରେ ଏଭଳି ସ୍କୁଲ ହେବ । ଏନେଇ ବଜେଟରେ ବ୍ୟୟବରାଦ ସମ୍ପର୍କିତ ବ୍ୟବସ୍ଥା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି  । ଏଭଳି ସ୍କୁଲରେ ଆକ‌ର୍ଷଣୀୟ ବ୍ୟବସ୍ଥା କରାଯିବ ଯଦ୍ୱାରା ପିଲାମାନେ ପ୍ରାଇଭେଟ ସ୍କୁଲକୁ ନ ଯାଇ ମଡେଲ ସ୍କୁଲରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ । ସ୍ୱାମୀ ବିବେକାନନ୍ଦ ତାଙ୍କର ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମାଜ ନିର୍ମାଣ, ସଂସ୍କାରରେ ଗୁରୁମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି । ଗୁରୁମାନଙ୍କୁ ସର୍ବଦା ଭକ୍ତିର ସହ ସ୍ମରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମାତା ପିତାଙ୍କ ପରେ ଗୁରୁ ହେଉଛନ୍ତି ଶିଷ୍ୟର ଆରାଧ୍ୟ ଦେବତା । ଶିକ୍ଷା ବ୍ୟବସ୍ଥା ହେଉଛି ତ୍ରିଭୁଜ ସଦୃଶ । ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ହେଉଛନ୍ତି ଶିକ୍ଷା ବ୍ୟବସ୍ଥା ତ୍ରିଭୁଜର ତିନି ବାହୁ । ତିନି ବାହୁ ଏକାଠି କାର୍ଯ୍ୟ କଲେ ଶିଷ୍ୟର ଜୀବନ ସୁସଂଗଠିତ ହେବ । ଏହା ଦ୍ୱାରା ବିକଶିତ ସମାଜ ଗଠନ ଧାରା ଉନ୍ନତ ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.